ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଦେବ ଆନନ୍ଦ ଏବଂ ଅଭିନେତ୍ରୀ କଳ୍ପନା କାର୍ତ୍ତିକଙ୍କ ପୁଅ, ନିର୍ଦ୍ଦେଶକ ତଥା ଅଭିନେତା ସୁନୀଲ ଆନନ୍ଦଙ୍କର ୭୦ ବର୍ଷ ବୟସରେ ବ୍ରିଟେନ୍ (UK) ରେ ପରଲୋକ ହୋଇଯାଇଛି। ତାଙ୍କ ଭାଣିଜୀ ଜୀନା ନାରଙ୍ଗଙ୍କ ପକ୍ଷରୁ ସନୀଲ ଆନନ୍ଦଙ୍କ ମୃତ୍ୟୁ ଖବର ମିଳିଛି  । ସୁନୀଲ ଆନନ୍ଦ ଆମେରିକାରୁ ବ୍ରିଟେନ୍ ଦେଇ ଭାରତ ଫେରୁଥିବା ସମୟରେ ଲଣ୍ଡନରେ ତାଙ୍କୁ ହୃଦଘାତ  ହୋଇଥିଲା।  ତାଙ୍କୁ ତୁରନ୍ତ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସୁନୀଲ ଆନନ୍ଦଙ୍କୁ ବଞ୍ଚାଇବାକୁ ଚେଷ୍ଟା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ଦ୍ୱିତୀୟ ଥର ପାଇଁ ହୃଦଘାତ ହୋଇଥିଲା। ଡାକ୍ତରୀ ଦଳ ଅନେକ ଚେଷ୍ଟା କରିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲା।

ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ, ଯେଉଁ ହସ୍ପିଟାଲରେ ତାଙ୍କ ପିତା ଦେବ ଆନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ସେହି ସମାନ ହସ୍ପିଟାଲରେ ହିଁ ସୁନୀଲ ଆନନ୍ଦଙ୍କ ନିଧନ ହୋଇଛି ।  ସୁନୀଲ ଆନନ୍ଦ ୧୯୮୪ ମସିହାରେ ନିଜ ପିତା ଦେବ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନନ୍ଦ ଔର ଆନନ୍ଦ' ମାଧ୍ୟମରେ ଅଭିନୟ ଜଗତରେ ପଦାର୍ପଣ କରିଥିଲେ। ଏହା ପରେ ସେ 'କାର୍ ଥିଫ୍' (Car Thief), 'ମେଁ ତେରେ ଲିୟେ' (Main Tere Liye) ଏବଂ 'ମାଷ୍ଟର'  ଭଳି ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ।

ସେ ନିଜ ଜୀବନର ପ୍ରାୟ ୪୦ ବର୍ଷ ପିତାଙ୍କ ସହ ବିତାଇଥିଲେ ଏବଂ ସେମାନଙ୍କ ହୋମ୍ ପ୍ରଡକ୍ସନ 'ନବକେତନ ଫିଲ୍ମସ'ର ଦାୟୀତ୍ବ ନେଇଥିଲେ । ୨୦୦୮ ମସିହାରେ ପ୍ରସିଦ୍ଧ ଚଳଚ୍ଚିତ୍ର 'ଗାଇଡ୍' କୁ କାନ୍ସ  ଫିଲ୍ମ ଫେଷ୍ଟିଭାଲକୁ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା କାନ୍ସ କମିଟି ଦ୍ୱାରା ମନୋନୀତ ପ୍ରଥମ ଭାରତୀୟ କ୍ଲାସିକ୍ ଫିଲ୍ମ ଥିଲା। ସୁନୀଲ ନିଜ ପିତାଙ୍କୁ ମନେ ପକାଇ ସବୁବେଳେ କହୁଥିଲେ ଯେ, ଦେବ ଆନନ୍ଦ ଜଣେ ଅତ୍ୟନ୍ତ ଜ୍ଞାନୀ, ନମ୍ର ଏବଂ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜପରିବାର ପର୍ଯ୍ୟନ୍ତ ସମସ୍ତଙ୍କ ସହ ସହଜରେ ମିଶିପାରୁଥିବା ବ୍ୟକ୍ତି ଥିଲେ। ସେ ନିଜ ପିତାଙ୍କୁ ସମର୍ପିତ କରି ଏକ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ଦେବା ପାଇଁ ମଧ୍ୟ ଯୋଜନା କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।