କୋଇଡ଼ା: ବଡ଼ ଭାଇର ଦସକ୍ରିୟା ସରିନି, ଚାଲିଗଲା ସାନ ଭାଇର ଜୀବନ । ଦନ୍ତା ହାତୀର ଆକ୍ରମଣରେ ସାନ ଭାଇର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେପଟେ ବନ ବିଭାଗ ବିରୋଧରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ବର୍ଷୁଆଁ ରେଞ୍ଜ ଅଧୀନସ୍ଥ ଡେଙ୍ଗୁଳା ସେକ୍ସନର କୁଲା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ବ୍ୟକ୍ତିଜଣକ ହେଲେ ହୃଷିକେଶ ନାଏକ (୪୦) । ଗତ ରବିବାର ହୃଷିକେଶଙ୍କ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିଲା ଏବଂ ଆସନ୍ତା ବୁଧବାର ତାଙ୍କର ଦସକ୍ରିୟା ହେବାର କାର୍ଯ୍ୟକ୍ରମ ଥିଲା । ଘରେ ବଡ଼ ଭାଇଙ୍କ ମୃତ୍ୟୁ ଶୋକ ଏବଂ ଦସକ୍ରିୟା ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ହୃଷିକେଶଙ୍କୁ ଆକ୍ରମଣ କରି ଦଳି ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ମାତ୍ର କିଛି ଦିନ ବ୍ୟବଧାନରେ ଗୋଟିଏ ପରିବାରର ଦୁଇ ଦୁଇଜଣ ସଦସ୍ୟଙ୍କୁ ହରାଇବା ପରେ ସମଗ୍ର କୁଲା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ବାରମ୍ବାର ହାତୀ ଉପଦ୍ରବ ଏବଂ ଜୀବନହାନି ଘଟୁଥିଲେ ବି ବନ ବିଭାଗ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତୁରନ୍ତ ଦନ୍ତାହାତୀକୁ ନିୟନ୍ତ୍ରଣ କରିବା, ଅଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ମୃତକଙ୍କ ପରିବାରକୁ ଉଚିତ ସରକାରୀ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।