ଭୁବନେଶ୍ବର ୨୮।୩: ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ । ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ ।

ରାଜ୍ୟର ମହିଳା ମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରଙ୍କ ଅନୁମୋଦନ କ୍ରମେ, ଆସନ୍ତା ୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ ।

ଆବେଦନ ଅବଧି:

୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬।

ବୟସ ସୀମା:

୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆର୍ଥିକ ସହାୟତା:

ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ।

ଆବେଦନ ପ୍ରକ୍ରିୟା ଓ ସର୍ତ୍ତାବଳୀ:

କେଉଁମାନେ ଆବେଦନ କରିପାରିବେ:

ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାଁନ୍ତି, କେବଳ ସେହିମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ ।

କେଉଁଠାରେ ଆବେଦନ କରିବେ:

ନୂତନ ଆବେଦନଗୁଡିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ ।

ଫର୍ମ ଉପଲବ୍ଧତା: 

ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ଅଛି ।

ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ମହିଳା ମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ । ଏଥିରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି ।