ନୂଆଦିଲ୍ଲୀ ୧୧।୧୦; ବିସ୍ଫୋରଣରେ ଥରିଲା ସାଉଦି ରାଜଧାନୀ ସାଉଦି ଆରବର ରାଜଧାନୀ ରିୟାଦ୍ ସହର। ରିୟାଦ୍ ବିମାନବନ୍ଦର ଉପରେ ପୁଣି ହୁତିର ଭୟଙ୍କର ଆକ୍ରମଣ । ଆକ୍ରମଣ ନେଇ ଆଞ୍ଚଳିକ ଅଧିକାରୀଙ୍କ ସୂଚନା ପରେ ବିମାନବନ୍ଦରରୁ ଯାତ୍ରୀଙ୍କୁ ଖାଲି କରାଯିବା ସହ ବିମାନ ଚଳାଚଳ ବନ୍ଦ ରହିଛି। ମିସାଇଲ ମାଡରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କଥା ରବିବାର ସକାଳେ ସାଉଦି ବିମାନ ଚଳାଚଳ ଅଧିକାରୀମାନେ ଘୋଷଣା କରିଛନ୍ତି। ଚଳିତ ସପ୍ତାହରେ ଏ ବିମାନବନ୍ଦର ଉପରେ ଏକାଧିକ ଆକ୍ରମଣ ହୋଇଥିଲା।

କହିବାକୁ ଗଲେ ଜଣେ ଅଧିକାରୀଙ୍କ ଅନୁଯାୟୀ, କ୍ଷେପଣାସ୍ତ୍ରଟି ବିମାନବନ୍ଦରର ଟର୍ମିନାଲ ୩ ଏବଂ ୪ଉପରେ ପଡ଼ିଥିଲା। ଯାହା ଘରୋଇ ବିମାନ ଚଳାଚଳ କରେ। ମୃତକଙ୍କ ମଧ୍ୟରେ ଚାରି ଜଣ ସାଉଦି ନାଗରିକ, ଦୁଇଜଣ ବାଂଲାଦେଶୀ ଏବଂ ଆମେରିକା, ପାଲେଷ୍ଟାଇନ, ମିଶର, ଜୋର୍ଡାନ, ସିରିଆ ଏବଂ ସୁଦାନର ଜଣେ ଲେଖାଏଁ ନାଗରିକ ଅନ୍ତର୍ଭୁକ୍ତ। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିମାନବନ୍ଦରରେ କୌଣସି ସାମରିକ ଘାଟି ନାହିଁ।

ନିନ୍ଦା କଲା ଆମେରିକା

ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକା ହୁତିମାନଙ୍କ ବିରୁଦ୍ଧରେ ସାଉଦି ଆରବର ସାମରିକ କାର୍ଯ୍ୟାନୁଷ୍ଠାନରେ ଯୋଗଦେବାକୁ ବିଚାର କରୁଛି। ଟ୍ରମ୍ପ କହିଛନ୍ତି, "ଆମେ ଏହା କରିପାରୁ। ଆମକୁ ଆକ୍ରମଣ ବିଷୟରେ ସୂଚନା ମିଳିଛି। ଆମେ ଶୀଘ୍ର ଏହା ବିଷୟରେ ନିଷ୍ପତ୍ତି ନେବୁ।" ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟ ଏହାକୁ ଯୁଦ୍ଧ ଅପରାଧ ବୋଲି କହିଛି ଏବଂ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି।

ବିମାନବନ୍ଦର ବନ୍ଦ

ଆକ୍ରମଣ ପରେ ଶନିବାର ବିମାନବନ୍ଦରରେ ବିମାନ ଉଡ଼ାଣ ବନ୍ଦ କରାଯାଇଥିଲା। ସମସ୍ତ ରାସ୍ତା ବନ୍ଦ କରାଯାଇଥିଲା ଏବଂ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ନିକଟରେ ଆଲୋକୀକରଣ ମଧ୍ୟ କମ କରାଯାଇଥିଲା। ଅନେକ ବିମାନକୁ ଅନ୍ୟ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆମେରିକା, ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ ଏବଂ କାନାଡା ସେମାନଙ୍କର ନାଗରିକମାନଙ୍କୁ ବିମାନବନ୍ଦରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।