ଇସଲାମାବାଦ:  ଇମ୍ରାନ ଖାନଙ୍କ ସମର୍ଥକଙ୍କ ଦ୍ବାରା ଜାରି ଆନ୍ଦୋଳନ ଲାଗି ପାକିସ୍ତାନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏହାକୁ ନଜରରେ ରଖି ପାକିସ୍ତାନ ସରକାର ‘ଖାଇବର ପଖତୁନଖ୍ୱା’ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ଆନ୍ଦୋଳନରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ସଂସଦୀୟ ନିଷ୍ପତ୍ତି କ୍ରମେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆର୍ଥିକ ଏବଂ ରାଜନୈତିକ ସଂକଟକୁ ନେଇ ହଜାର ହଜାର ପ୍ରଦର୍ଶନକାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ।

ପାକିସ୍ତାନ ସମ୍ବିଧାନର ସୁରକ୍ଷା ସମ୍ବନ୍ଧୀୟ ଦୁଇଟି ଧାରାକୁ ନେଇ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ହାତକୁ ସେହି ପ୍ରଦେଶର ସମସ୍ତ ପ୍ରଶାସନିକ କ୍ଷମତା ଚାଲିଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ସରକାରୀ ପ୍ରତିନିଧିମାନଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଷ୍ଟ୍ରପତି ଏହି ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ପ୍ରାଦେଶିକ ସରକାର ଆତଙ୍କବାଦ ବିରୋଧୀ ଲଢ଼େଇରେ ଅବହେଳା ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । 

କ୍ଷମତା ହରାଇଲେ ପ୍ରଦେଶ ସରକାର

'ପାକିସ୍ତାନ ତେହରିକ-ଇ-ଇନସାଫ' ର ଗଡ଼ ଖାଇବର ପଖତୁନଖ୍ୱା । ଏହି ଜରୁରୀକାଳୀନ ନିୟମ ଯୋଗୁଁ ସେଠାରେ ଥିବା PTI ସରକାରର କ୍ଷମତାକୁ ବାତିଲ କରାଯାଇଛି। ଏହାକୁ ନେଇ PTI ଅଧ୍ୟକ୍ଷ ଗୋହର ଅଲି ଖାନ କହିଛନ୍ତି ଯେ, ଏହା ଅତ୍ୟନ୍ତ ଚିନ୍ତାଜନକ । ଏପରିକି ଏହା ଗଣତନ୍ତ୍ର ବିରୋଧୀ ପଦକ୍ଷେପ ବୋଲି ସେ କହିଛନ୍ତି । ଜନସାଧାରଣ ଏହି ଅନ୍ୟାୟକୁ କେବେବି ସ୍ୱୀକାର କରିବେ ନାହିଁ। ବର୍ତ୍ତମାନ ପ୍ରଦେଶର ରାଜଧାନୀ ପେଶାୱାର ସମେତ ବିଭିନ୍ନ ସହରରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଏପରିକି  ଅନେକ ମୁଖ୍ୟ ରାସ୍ତା ବନ୍ଦ ରହିଛି।

ଆଲୋଚନା ବିଫଳ

ଇମ୍ରାନ ଖାନ ଅଗଷ୍ଟ ୨୦୨୩ ରୁ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି, ଦେଶଦ୍ରୋହ ଏବଂ ହିଂସା ଭିଆଇବା ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି। ତେବେ ଇମ୍ରାନ ଓ ତାଙ୍କ ଦଳ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି ପିଟିଆଇ ।  ପ୍ରଦର୍ଶନକାରୀମାନେ ଇମ୍ରାନଙ୍କ ନିକଟକୁ ତାଙ୍କ ଡାକ୍ତରୀ ଦଳକୁ ଯିବା ପାଇଁ ଦାବି କରିଥିଲେ। ମାତ୍ର ଅକ୍ଟୋବର ୪ ରେ ଏହି ଆଲୋଚନା ବିଫଳ ହେବାରୁ ପିଟିଆଇ କର୍ମୀମାନେ ବଡ଼ ବିକ୍ଷୋଭ ଆରମ୍ଭ କରିଥିଲେ।