ରାଇରଙ୍ଗପୁର ୫।୯: ଗୁରୁ ସଦାସର୍ବଦା ଜଣେ ଜୀବନ ନିର୍ମାତା । ଜଣେ ଛାତ୍ରଙ୍କ ପାଇଁ ଗୁରୁ ହେଉଛନ୍ତି ଭଗବାନ ସମାନ। ଗୁରୁ ହେବା ପାଇଁ ଶରୀର ସମ୍ପୂର୍ଣ୍ଣ ହେବା ଆବଶ୍ୟକ ନୁହେଁ, ଏହାର ଉଦାହରଣ ପୁରାଣର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଅଷ୍ଟାବକ୍ରଙ୍କ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ଆଜିର ଦିନରେ ମଧ୍ୟ ଏଭଳି ଜଣେ ଗୁରୁ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ରହି ଗଢ଼ି ଚାଲିଛନ୍ତି ଦେଶର ଭବିଷ୍ୟତ। ଏପରି ଜଣେ ଗୁରୁ ହେଉଛନ୍ତି ଗୁରୁ ପ୍ରସାଦ ମହାକୁଡ଼।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ିମୁଣ୍ଡି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁ ପ୍ରସାଦ ମହାକୁଡ଼ । ନିଜେ ଦିବ୍ୟାଙ୍ଗ, ଗୋଟିଏ ହାତ ନଥିଲେ ମଧ୍ୟ ତାଙ୍କ ମନରେ ନାହିଁ କୌଣସି ଅବସୋସ । ଶିକ୍ଷକତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସେ ନିରନ୍ତର ନିୟୋଜିତ।

୭୧ ବର୍ଷର ଆଶ୍ରମ ବିଦ୍ୟାଳୟରେ ୩୦୩ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ହେଲେ ଏତେ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁ ପ୍ରସାଦ ମହାକୁଡ଼ଙ୍କୁ ମିଶାଇ ମାତ୍ର ଚାରି ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି । ସେଥିମଧ୍ୟରୁ ତିନି ଜଣ ନିୟମିତ ଶିକ୍ଷକ ଥିବା ବେଳେ ଜଣେ ଅତିଥି ଶିକ୍ଷୟିତ୍ରୀ ଅଛନ୍ତି । ନା ଅଛନ୍ତି ପିଅନ ନା ଅଛନ୍ତି କିରାଣୀ । ତଥାପି ଗୁରୁ ପ୍ରସାଦ ମହାକୁଡ଼ ନିଜ ଦାଇତ୍ଵରେ କେବେ ଅବହେଳା ପ୍ରଦର୍ଶନ କରି ନାହାନ୍ତି । ପ୍ରଧାନ ଶିକ୍ଷକ ଭାବରେ ବିଦ୍ୟାଳୟର ସମସ୍ତ ଦାଇତ୍ଵ ନିର୍ବାହ କରି ଚାଲିଛନ୍ତି । ଦିବ୍ୟାଙ୍ଗ ବୋଲି କେବେ କୌଣସି ବାହାନା କରିନାହାନ୍ତି । ତାଙ୍କର ସରଳତା, ମିଷ୍ଟଭାଷୀ ବ୍ୟବହାର ପାଇଁ ସହକର୍ମୀ ଠାରୁ ଛାତ୍ରଛାତ୍ରୀଙ୍କ ପ୍ରିୟ ଅଟନ୍ତି ।

Also Read:- ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ : ଟଙ୍କା ନେବା ପରେ ଫୋନ୍ ଉଠାଇଲେନି, ଏବେ ଥାନାରେ ଆଶାୟୀ

କୁକୁଡିମୁଣ୍ଡି ଆଶ୍ରମ ବିଦ୍ୟାଳୟ ପରିସର ଧୁମ୍ ଧାମ୍‌ରେ ଗୁରୁ ଦିବସ ପାଳନ କରାଯିବା ସହିତ ୬ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପାଦ ଧୋଇ ଫୁଲ ଚନ୍ଦନ ଦୀପ ଦେଇ ବନ୍ଦନା କରି ଆଶୀର୍ବାଦ ନେଇଥିଲେ ଛାତ୍ରୀମାନେ । ସମସ୍ତ ଅବସର ଶିକ୍ଷକଙ୍କୁ ଏହି ଅବସରରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ଗୁରୁ ଦିବସ ପାଳନର କାରଣ ଓ ଲକ୍ଷ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।