ଭୁବନେଶ୍ବର ୨୭।୫: ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ । ପରିବହନ ମନ୍ତ୍ରୀଙ୍କ ଏଭଳି ଧମକ ପରେ ଚେତାବନୀ ଦେଲା ବସ୍ ମାଲିକ ସଙ୍ଘ । ଭଡ଼ା ନ ବଢ଼ିଲେ ବସ୍‌ ଗଡ଼ିବନି ବୋଲି ଚେତାବନୀ ଦେଲେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ସେ କହିଛନ୍ତି, ବସ୍ ଭଡା ବୃଦ୍ଧି ପାଇଁ ଯେଉଁ ଅଟୋମେଟିକ ମେକାନିଜିମର ବ୍ୟବସ୍ଥା ରହିଛି । ତାହା ସଠିକ୍ ସମୟରେ କାର୍ଯ୍ୟକାରୀ ହେଉନାହିଁ । ପୁଣି ବସ୍ ଭଡା ବୃଦ୍ଧି ନେଇ ଯେଉଁ ୧୩ଟି ସର୍ତ୍ତ ରହିଛି, ୨୦୧୬ ମସିହାରୁ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ହେଉନାହିଁ । ଏପରି ସ୍ଥଳେ ବସ୍ ଭଡା ବାବଦୀୟ ଠୋସ୍ ନିଷ୍ପତ୍ତି ଲାଗି ସରକାର ଆନ୍ତରାୟ ସୃଷ୍ଟି କରୁଛନ୍ତି । ଯଦି ଏହାର ଆଶୁ ସମାଧନ ନହୁଏ, ତେବେ ବସ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ । ଏନେଇ ଆସନ୍ତା ଶନିବାର ବସ୍ ମାଲିକ ସଙ୍ଘ ବୈଠକ ଡାକିଛି । ସେଦିନ ହୁଏତ କିଛି ସ୍ପଷ୍ଟ ସୂଚନା ମିଳିପାରେ । ତେବେ ଘରୋଇ ବସ୍ ମାଲିକ ସଙ୍ଘ ଡିଜେଲ ଉପରୁ ଭ୍ୟାଟ୍ ଛାଡ୍ କରିବାକୁ ଦାବି କରିଛି । ଯାହା ଉପରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ ବାଧ୍ୟ ହୋଇ ସେମାନେ ବସ ବନ୍ଦ କରିବାକୁ ନିଷ୍ପତ୍ତି ନେବେ ବୋଲି ଦେବେନ୍ଦ୍ର ସାହୁ କହିଛନ୍ତି ।

ସେପଟେ ମନ୍ତ୍ରୀଙ୍କ ଧମକ, ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ । ତେଲ ଦର ବୃଦ୍ଧି ଯୋଗୁଁ ୨% ବସ୍ ଭଡ଼ା ବୃଦ୍ଧି ହୋଇଛି। ଏହା ସତ୍ତ୍ବେ ବି ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ ମନଇଚ୍ଛା ବସ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆସୁଛି । ଏମିତିରେ ସଠିକ ଭଡ଼ା ନେଇ ଲୋକଙ୍କୁ ସହଯୋଗ କରିବାକୁ ବସ୍ ମାଲିକ ଓ କର୍ମଚାରୀଙ୍କୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

Also Read:- ପରିବହନ ମନ୍ତ୍ରୀଙ୍କ ଚେତାବନୀ, ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ

ସେହିପରି ଯଦି କୌଣସି ଗାଡ଼ି ମାଲିକ ମନ ଇଚ୍ଛା ଦର ବଢାନ୍ତି । କି ସରକାରଙ୍କ ନିୟମ ନମାନନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତୈଳ ଦର ବୃଦ୍ଧି ଲାଗି ବସ୍‌ ଭଡ଼ା ବଢାଯାଇଛି । ୨ ପ୍ରତିଶତ ଦର ବୃଦ୍ଧି କରାଯାଇଛି । ତେଣୁ ଧାର୍ଯ୍ୟ ହୋଇଥିବା ଦର ଠାରୁ ଅଧିକ ଟଙ୍କା ନେଲେ, ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଥିଲା । ଯାହାର ପ୍ରଭାବ ସିଧା ଭାରତୀୟ ବଜାର ଉପରେ ପଡିଥିଲା । ପେଟ୍ରୋଲ-ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିଲା । ଏପିରିକି କିଛି ବସ୍‌ ମନ ଇଚ୍ଛା ଯାତ୍ରୀଙ୍କ ଠାରୁ ଭଡ଼ା ନେଉଥିଲେ । ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ଆସିଥିଲା । ଅଭିଯୋଗ ପରେ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି ।