ମୁମ୍ବାଇ: ଏସ୍ଏସ୍ ରାଜାମୌଳୀଙ୍କ ଆଗାମୀ ଫିଲ୍ମ ‘ବାରାଣସୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗରୁ ହିଁ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଫିଲ୍ମର ସେଟରୁ ସାମ୍ନାକୁ ଆସିଥିବା ଏକ କଥିତ ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋଟି ସତ କି ନୁହେଁ, ତାହା ନେଇ କୌଣସି ସ୍ପଷ୍ଟତା ମିଳିନଥିଲେ ମଧ୍ୟ ଏହାକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି।

ରାଜାମୌଳୀଙ୍କ ଫିଲ୍ମ ନାମ ଘୋଷଣା ହେବାଠାରୁ ‘ବାରାଣସୀ’କୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି। ଫିଲ୍ମର କାହାଣୀ, ଚରିତ୍ର ଏବଂ ଭିଜୁଆଲ୍ ଟ୍ରିଟକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି। ଏବେ ଫିଲ୍ମ ସୁଟିଂ ସେଟ୍ ଫଟୋ ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ନୂଆ ଅନୁମାନ ଆରମ୍ଭ ହୋଇଛି। ସୋସିଆଲ୍ ମିଡିଆରେ ଫଟୋଟି ଭାଇରାଲ୍ ହେବା ସହ ଫ୍ୟାନ୍ସମାନେ ନିଜ ନିଜ ମତ ରଖୁଛନ୍ତି। କିଏ ଏହାକୁ ଫିଲ୍ମର ଆଗାମୀ ଝଲକ ବୋଲି କହୁଛନ୍ତି, ତ ଆଉ କିଏ ଏହାକୁ ଫ୍ୟାନ୍-ମେଡ୍ କିମ୍ବା ଏଡିଟେଡ୍ ଇମେଜ୍ ବୋଲି ଦାବି କରୁଛନ୍ତି। ତେବେ ଫଟୋର ପ୍ରାମାଣିକତା ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।

ଏହି ଫିଲ୍ମରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ସହ ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଚର୍ଚ୍ଚା ହେଉଛି। ରାଜାମୌଳୀଙ୍କ ବିଶାଳ ମାପର ନିର୍ମାଣ ଶୈଳୀକୁ ଦେଖି ଫ୍ୟାନ୍ସମାନେ ଫିଲ୍ମଟିକୁ ନେଇ ବେଶ୍ ଆଶାବାଦୀ। ସେଟ୍ରୁ ଫଟୋ ଲିକ୍ ହେବାର ଖବର ଏବେ ଫିଲ୍ମର ହାଇପ୍କୁ ଆହୁରି ବଢ଼ାଇଦେଇଛି। ତେବେ ଫଟୋଟି ପ୍ରକୃତରେ ‘ବାରାଣସୀ’ର ସେଟରେ କି ନୁହେଁ, ତାହା ସ୍ପଷ୍ଟ ହେବା ପରେ ହିଁ ସେ ସମ୍ପର୍କରେ କିଛି କୁହାଯାଇପାରିବ।