ମୁମ୍ବାଇ: ଭାରତୀୟ ସିନେମା ଜଗତରେ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ ହେଉଛି ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ମହତ୍ତ୍ୱାକାଂକ୍ଷୀ ଫିଲ୍ମ ‘ରାମାୟଣ’। ହଜାର କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ହେଉଥିବା ଏହି ପୌରାଣିକ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢ଼ୁଛି। ଏବେ ଗଣେଶ ଚତୁର୍ଥୀ ଅବସରରେ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିବା ଖବର ଫିଲ୍ମପ୍ରେମୀଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି।

ସୂଚନା ଅନୁସାରେ, ଗଣେଶ ଚତୁର୍ଥୀରେ ‘ରାମାୟଣ’ର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଯୋଜନା ରହିଛି। ଫିଲ୍ମର ପୋଷ୍ଟର ସହ ଏହାର ପ୍ରଥମ ଗୀତ ‘ଜୟ ଜୟ ରାମ’ ମଧ୍ୟ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଏହି ଗୀତକୁ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲ ନିଜ କଣ୍ଠରେ ସଜାଇବେ ବୋଲି ଖବର ରହିଛି।

‘ରାମାୟଣ’କୁ ଭାରତୀୟ ସିନେମାର ସବୁଠୁ ବଡ଼ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ କରିବା ପାଇଁ ନିର୍ମାତାମାନେ ବ୍ୟାପକ ସ୍ତରରେ କାମ କରୁଛନ୍ତି। ଫିଲ୍ମରେ ରଣବୀର କପୁରଙ୍କୁ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଏବଂ ସାଇ ପଲ୍ଲବୀଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଯଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ରହିଛି। ଫିଲ୍ମର ଭିଜୁଆଲ୍‌, vfx ଏବଂ ପ୍ରଡକ୍ସନ୍‌କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ରହିଛି। ନିର୍ମାତାମାନେ ଭାରତୀୟ ପୁରାଣକୁ ଆଧୁନିକ ସିନେମାଟିକ୍ ଟେକ୍ନୋଲୋଜି ସହ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ପ୍ରୟାସ କରୁଛନ୍ତି।

​​​​​​​

‘ଜୟ ଜୟ ରାମ’କୁ ନେଇ ବଢ଼ିଲା ଉତ୍ସାହ :

ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ଭଳି ଦୁଇ ଲୋକପ୍ରିୟ ଗାୟକଙ୍କ କଣ୍ଠରେ ‘ଜୟ ଜୟ ରାମ’ ଶୁଣିବାକୁ ମିଳିବା ଖବର ଫ୍ୟାନ୍ସଙ୍କ ମଧ୍ୟରେ ବେଶ୍ ଉତ୍ସାହ ବଢିଛି। ଭକ୍ତି, ଭାବନା ଓ ସିନେମାଟିକ୍ ଅନୁଭବର ମିଶ୍ରଣରେ ଏହି ଗୀତ ଦର୍ଶକଙ୍କ ମନ ଜିତିବ ବୋଲି ଆଶା କରାଯାଉଛି। ଗଣେଶ ଚତୁର୍ଥୀ ଭଳି ଶୁଭ ଅବସରରେ ‘ରାମାୟଣ’ର ପ୍ରଥମ ପୋଷ୍ଟର ଓ ଗୀତ ସମ୍ପର୍କିତ ଅପଡେଟ୍‌ ଆସିବାକୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଦର୍ଶକଙ୍କ ନଜର ଏବେ ଫିଲ୍ମର ପ୍ରଥମ ଝଲକ ଉପରେ।