ଶ୍ରୀନଗର: ଜମ୍ମୁକାଶ୍ମୀରର ଶ୍ରୀନଗର ଏୟାରପୋର୍ଟରେ ଦୁଇ ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି । ଯାଞ୍ଚ ପରେ ସେମାନଙ୍କ ପାଖରୁ ସାଟେଲାଇଟ୍ ଫୋନ୍ ମିଳିଥିବା ଜଣାପଡ଼ିଛି । ଏୟାରପୋର୍ଟ ସିକ୍ୟୁରିଟି ସେମାନଙ୍କୁ ପଚରା ଉଚରା କରିବା ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛି । ପୋଲିସର ସୂଚନା ଅନୁଯାୟୀ, ଯେଉଁ ଆମେରିକୀୟ ନାଗରିକଙ୍କ ପାଖରୁ ସାଟେଲାଇଟ୍ ଫୋନ୍ ମିଳିଛି, ତାଙ୍କ ନାଁ ଜେଫ୍ରି ସ୍କଟ୍ । ସେ ଆମେରିକାର ମୋଣ୍ଟାନା ରାଜ୍ୟରୁ ଆସିଥିବା କୁହାଯାଉଛି।

ପୋଲିସ ସୂତ୍ର ଅନୁଯାୟୀ, ବିମାନବନ୍ଦରରେ ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ଏହି ଦୁଇ ଆମେରିକୀୟଙ୍କ ଲଗେଜ ସ୍କାନ କରାଯାଇଥିଲା । ସେମାନଙ୍କ ବ୍ୟାଗରୁ ଏକ ସାଟେଲାଇଟ୍ ଫୋନ୍ ମିଳିଥିଲା। ଏହି ସାଟେଲାଇଟ୍ ଫୋନ୍ ଗାର୍ମିନ୍ ନାମକ ଏକ ଜଣାଶୁଣା କମ୍ପାନୀର ବୋଲି କୁହାଯାଉଛି। ତଲାସୀ ସମୟରେ ସ୍କଟ୍ଙ୍କ ବ୍ୟାଗରୁ ସାଟେଲାଇଟ୍ ଫୋନ୍ ମିଳିବା ମାତ୍ରେ, ଉଭୟ ଆମେରିକୀୟ ନାଗରିକଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା ଏବଂ ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

Also Read: ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୧୩ ମୃତ; ଦୁଃଖ ପ୍ରକାଶ କଲେ CM ଷ୍ଟାଲିନ୍

ଏହା ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଘଟଣା ନୁହେଁ। ଭାରତର ବିଭିନ୍ନ ବିମାନବନ୍ଦରରେ ଆମେରିକୀୟ ନାଗରିକମାନେ ଅନେକ ଥର ସାଟେଲାଇଟ୍ ଫୋନ୍ ସହିତ ଧରାପଡ଼ିଛନ୍ତି। ଭାରତରେ ସାଟେଲାଇଟ୍ ଫୋନ୍ ବ୍ୟବହାର ବେଆଇନ୍ । ଅନେକ ସମୟରେ ଆମେରିକୀୟ ନାଗରିକ ଏନେଇ ନଜାଣି, ସାଥିରେ ସାଟେଲାଇଟ୍ ଫୋନ୍ ନେଆସନ୍ତି। କିନ୍ତୁ ଏବେ ପୋଲିସ ସେମାନଙ୍କୁ ପଚରା ଉଚରା କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିପାରିବ ।