ନୂଆଦିଲ୍ଲୀ,୨୦|୦୧ :ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗର ୧.୨୫ କୋଟି ଭୋଟରଙ୍କୁ ନିଜ ନାମ ଭୋଟର ତାଲିକାରେ ଯୋଡ଼ିବା ଲାଗି ଆଉ ଏକ ସୁଯୋଗ ଦେଇଛନ୍ତି । ୧୦ ଦିନ ମଧ୍ୟରେ ନିଜ ପ୍ରମାଣପତ୍ର ନିର୍ବାଚନ କମିଶନ (ଇସି) ଙ୍କ ନିକଟରେ ଦାଖଲ ପାଇଁ ଅଦାଲତ କହିଛନ୍ତି ।

ନିର୍ବାଚନ କମିଶନ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍) ବେଳେ ନାମ,ଉପନାମ,ବୟସରେ ଅସଙ୍ଗତି କାରଣରୁ ୧.୨୫ କୋଟି ଭୋଟରଙ୍କୁତର୍କଗତ ଅସଙ୍ଗତିନୋଟିସ ଜାରି କରିଥିଲେ । ଏବେ ଅସଙ୍ଗତି ଥିବା ୧.୨୫ କୋଟି ଭୋଟରଙ୍କ ନାମ ଗ୍ରାମପଞ୍ଚାୟତ,ବ୍ଲକ ଓ ୱାର୍ଡ କାର୍ଯ୍ୟାଳୟରେ ସାର୍ବଜନୀନ କରିବାକୁ ଅଦାଲତ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଯେଉଁ ଲୋକଙ୍କ ନାମ ଚିଠା ଭୋଟର ତାଲିକାରେ ନାହିଁ,ସେମାନେ ଜାଣିପାରିବେ । ଏହାପରେ ନିଜ ନାମକୁ ତାଲିକାରେ ଯୋଡ଼ିବା ଲାଗି ଆବଶ୍ୟକ ପଦକ୍ଷେପ ନେଇପାରିବେ ।

ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ,ବିଚାରପତି ଦୀପଙ୍କର ଦତ୍ତ ଓ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ କହିଛନ୍ତି,କେବଳ ତର୍କ ଆଧାରରେ ଲୋକଙ୍କୁ ହଇରାଣ କରାଯାଇ ପାରିବ ନାହିଁ । ଭୋଟର ତାଲିକାରେ ସଂସ୍କାର ପ୍ରକ୍ରିୟା ଜରୁରି । ଏହା ସ୍ୱଚ୍ଛ ଓ ସମୟାନୁସାରେ ହେବା ଉଚିତ । ନିର୍ବାଚନ କମିଶନ ଲୋକଙ୍କ ଅସୁବିଧା ବୁଝିବା ଜରୁରି । ଜଷ୍ଟିସ ବାଗଚି କହିଛନ୍ତି,ସାଧାରଣ ଲୋକ ବହୁତ ଚାପରେ ଅଛନ୍ତି । ୧ କୋଟିରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି । ଦୟାକରି ଆଉ ଏକ ସମସ୍ୟା ଛିଡ଼ା କରା ନ ଯାଉ ।

ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କପିଲ ସିବଲ କହିଛନ୍ତି,ତର୍କଗତ ଅସଙ୍ଗତି ନାମରେ ଯଦି ପିତା ଓ ସନ୍ତାନଙ୍କ ବୟସରେ ୧୫ ବର୍ଷର ପାର୍ଥକ୍ୟ ରହୁଛି,ତେବେ ନୋଟିସ ପଠାଯାଉଛି । ଯେବେ କି ଚିଠା ତାଲିକା ପୂର୍ବରୁ ମହଜୁଦ ରହିଛି । ମୋର କହିବା କଥା ହେଉଛି ସମ୍ପୂର୍ଣ୍ଣ ତାଲିକା ସାର୍ବଜନୀନ ହେବା ଜରୁରି । ସମସ୍ତ ବିଏଲ୍ଓ ସୁଧାର ପ୍ରକ୍ରିୟାରେ ସହଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ । ସିବଲଙ୍କ ଅନୁସାରେ,ବଙ୍ଗଳା ନାମଗୁଡ଼ିକର ବନାନ ଭିନ୍ନ ପ୍ରକାରର ହୋଇଥାଏ । ଏହାକୁ ବି ତର୍କଗତ ଅସଙ୍ଗତି ବିବେଚନା କରାଯାଉଛି । ଜବାବରେ ଇସିଙ୍କ ଓକିଲ ରାକେଶ ଦ୍ୱିବେଦୀ କହିଛନ୍ତି,ଆମେ ବନାନ ଭଳି ଛୋଟ ଭୁଲ ପାଇଁ ନୋଟିସ ଦେଉନାହୁଁ । ଅଧିକାଂଶ କ୍ଷେତ୍ରରେ ବୟସର ତାରତମ୍ୟ ଭୁଲ ଏଣ୍ଟ୍ରି ଯୋଗୁ ହୋଇଥାଏ । ନୋଟିସର ଅର୍ଥ ନାମ ହଟାଇବା ନୁହେଁ,ବରଂ ମତଦାତାଙ୍କୁ ସୁଧାରର ସୁଯୋଗ ଦେବା ହୋଇଥାଏ । ତାଛଡ଼ା ବୁଥସ୍ତରୀୟ ଏଜେଣ୍ଟ ସବୁ ରାଜନୈତିକ ଦଳରୁ ନିଯୁକ୍ତ ହୋଇଥାନ୍ତି ।