ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ କଷ୍ଟରୁ ବାହାରି ପାରିନଥିବା ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନିତ୍ର କଜଗମ (ଏଆଇଏଡିଏମକେ) ଏବେ ଆଉ ଏକ ବିଭାଜନ ଆଡକୁ ବଢୁଥିବାର ଦେଖା ଯାଉଛି। ସୂଚନା ମୁତାବକ ସି.ଭି. ସନମୁଗମ ଗୋଷ୍ଠୀର ପ୍ରାୟ ୩୦ ଜଣ ବିଧାୟକ ଏସ.ପି.ଭେଲୁମଣିଙ୍କୁ ବିଧାନସଭାରେ ବିଧାୟକ ଦଳ ନେତା ଭାବେ ଦେଖିବା ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି। ଏହାର ବିପରୀତ ୧୭ ଜଣ ବିଧାୟକ ଏକ ପୃଥକ ପତ୍ର ଲେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡପ୍ପାଡୀ କେ.ପଲାନୀସ୍ୱାମୀ (ଇପିଏସ୍) ଙ୍କୁ ସମର୍ଥନ କରିଛନ୍ତି।

ଏବେ ଏହା ବି ମନେ କରାଯାଉଛି ଯେ ସନମୁଗମ ଗୋଷ୍ଠୀ ବିଜୟଙ୍କ ତମିଲଗା ୱେଟ୍ରି କଜଗମ (ଟିଭିକେ) ସରକାରଙ୍କୁ ସମର୍ଥନ ଦେବା ପକ୍ଷରେ ଅଛନ୍ତି। ଏଥିରେ ଯଦି ଶନମୁଗମ ଏଆଇଏଡିଏମକେର ଦୁଇ ତୃତିୟାଂଶ ବିଧାୟକଙ୍କ ସମର୍ଥନ ହାସଲ କରିପାରନ୍ତି ତେବେ ତାଙ୍କ ଗୋଷ୍ଠୀ ନିଜକୁ ଅସଲି ‘ଏଆଇଏଡିଏମକେ’ ରୂପେ ବୈଧ ଘୋଷିତ କରିପାରେ। ଅନ୍ୟପଟେ ଯଦି ଏହି ଗୋଷ୍ଠୀ ନିଜକୁ ଟିଭିକେରେ ବିଲୟ କରିବାକୁ ନିଷ୍ପତ୍ତି ନିଏ, ତେବେ ଦଳ ବଦଳ ଆଇନ ପ୍ରାବଧାନ ଅନୁସାରେ ବିଧାୟକ ନିଜର ବିଧାନସଭା ସଦସ୍ୟତା କାୟମ ରଖି ପାରିବେ।

ଏଆଇଏଡିଏମକେ ବରିଷ୍ଠ ସୂତ୍ର ଅନୁସାରେ ଦିଗ୍ଗଜ ନେତା ସି.ଭି.ସନମୁଗମଙ୍କ ପ୍ରତି ବିଶ୍ୱସ୍ଥ ମନେ କରାଯାଉଥିବା ବିଧାୟକଙ୍କ ସହିତ କେତେକ ପୂର୍ବତନ ମନ୍ତ୍ରୀ କଥିତ ରୂପେ ଇପିଏସ୍ ଙ୍କୁ ଏହା ପାର୍ଟିର ଲଗାତାର ଚତୁର୍ଥ ନିର୍ବାଚନୀ ହାର ଅର୍ଥାତ ୨୦୧୯ ଲୋକସଭା ନିର୍ବାଚନରୁ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ, ୨୦୨୪ ଲୋକସଭା ନିର୍ବାଚନ ଓ ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ପାର୍ଟି ହାରିଥିବା ସୂଚିତ କରିଛନ୍ତି। ଏଣୁ ସେମାନେ ଏବେ ଇପିଏସଙ୍କ ନେତୃତ୍ୱକୁ ଆଉ ସମର୍ଥନ କରିବାକୁ ଚାହୁଁ ନଥିବା ଇସାରାରେ ଜଣାଇ ଦେଇଛନ୍ତି। ସୂତ୍ର ଅନୁସାରେ ଲଗାତାର ପାର୍ଟିର ପରାଜୟ ଦଳର ମନବଳକୁ ଗୁରୁତର ପ୍ରଭାବିତ କରିଛି ଓ ନେତୃତ୍ୱ ରାଜନୈତିର ଦୃଷ୍ଟିକୋଣରୁ ନିରାଶାକୁ ଆହୁରି ଗଭିର କରିଛି।