ଭୁବନେଶ୍ୱର ୩୦।୦୫ : ଆଜିଠାରୁ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଯାହା ଜୁନ ୨୮ ଯାଏ ଚାଲିବ । ଏହି ସମୟ ମଧ୍ୟରେ ବୁଥସ୍ତରୀୟ ଅଧିକାରୀ-BLO ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି। ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରୁଛନ୍ତି। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।

ତେବେ ପ୍ରକାଶିତ ତାଲିକାରେ ଯଦି କୌଣସି ତ୍ରୁଟି ଥିବ, ତେବେ ସେ ବାବଦରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିହେବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ବିଏଲଓମାନେ ଭୋଟର୍ ଙ୍କ ଘରକୁ ଯାଇ ପ୍ରତ୍ୟେକ ଭୋଟରଙ୍କ ପାଇଁ ଦୁଇଟି ଫର୍ମ ଦେବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ । ବିଏଲ୍ ଓମାନେ ଘର ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ। ମେ ୨୯ ସୁଦ୍ଧା ରାଜ୍ୟରେ ପ୍ରିଣ୍ଟିଂ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲ୍ ଓମାନଙ୍କର ତାଲିମ ସରିଛି।

Also Read:-Riyan Parag Scolds Vaibhav Sooryavanshi Viral Video?| ବୈଭବ ସୂର୍ଯ୍ୟବଂଶୀଙ୍କୁ ଗାଳି କଲେ କି ରିୟାନ ପରାଗ?

ସେହିପରି ଏସଆଇଆର୍ ପାଇଁ ପ୍ରାକ୍ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ ଭୋଟର ମଧ୍ୟରୁ ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାଫି ସରିଛି। ୧୭ ପ୍ରତିଶତ ତ୍ରୁଟି ବାହାରିଛି। ବୟସ, ନାମ ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ତ୍ରୁଟି ଆସୁଛି। ଘର ଘର ବୁଲିବା ବେଳେ ତାକୁ ବିଏଲ୍ଓମାନେ ସଂଶୋଧନ କରିବେ। ମ୍ୟାଫି ସାରିଥିବା ଭୋଟର ନିଜର ଫଟୋ ଦେଇ ଦସ୍ତଖତ କରିବେ। ଭୋଟର ଚାହିଁଲେ ନୂଆ ଫଟୋ ଦେଇପାରିବେ। ପାଖାପାଖି ୯୪.୬୧% ଭୋଟରଙ୍କୁ ୨୦୦୨ରେ ପ୍ରକାଶିତ ଶେଷ ଏସ୍ ଆଇଆର୍ ସମୟର ଭୋଟର ତାଲିକା ସହିତ ମ୍ୟାପ୍ କରାଯାଇଛି। SIR ପାଇଁ ୪୫ ହଜାର ୨୫୫ ବିଏଲ ଓ ନିଯୁକ୍ତି ହୋଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସକାଳ ୬ଟାରୁ ଦିନ ୧୧ଟା, ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।