ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ସୌକାର ଜାନକୀଙ୍କ ଶୁକ୍ରବାର(୨୧ ଅଗଷ୍ଟ ୨୦୨୬) ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ଅପରାହ୍ନ ୧.୫୯ରେ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଅଭିନେତା ସଂଘ ନଦିଗର ସଂଗମର ସଭାପତି ନାସର ସୂଚନା ଦେଇଛନ୍ତି।

ଦୀର୍ଘ ୭ ଦଶନ୍ଧିରୁ ଅଧିକ ସମୟ ଧରି ସୌକାର ଜାନକୀ ଭାରତୀୟ ସିନେମାରେ ସକ୍ରିୟ ଥିଲେ। ବିଶେଷକରି ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ଚଳଚ୍ଚିତ୍ରରେ ସେ ନିଜର ଅଭିନୟ ପ୍ରତିଭାର ଛାପ ଛାଡ଼ିଥିଲେ। ଭିନ୍ନ ଭିନ୍ନ ଚରିତ୍ରକୁ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରିବାରେ ତାଙ୍କର ବିଶେଷ ଦକ୍ଷତା ଥିଲା।

ସୌକାର ଜାନକୀ ୧୯୫୫ରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ସାଭୁକାରୁ’ ଜରିଆରେ ସିନେମା ଜଗତରେ ପାଦ ରଖିଥିଲେ। ପରେ ସେ ତାମିଲ ସିନେମାରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଦୀର୍ଘ କ୍ୟାରିୟରରେ ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ। ଚଳଚ୍ଚିତ୍ର ଜଗତକୁ ତାଙ୍କର ଦୀର୍ଘକାଳୀନ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୨୨ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ଚେନ୍ନାଇର ଟେନାମ୍ପେଟ୍ସ୍ଥିତ ସେଣ୍ଟାଫ୍ ରୋଡ୍ରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ରଖାଯିବ। ଏଠାରେ ପରିବାର, ସହକର୍ମୀ, ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷ ଓ ପ୍ରଶଂସକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ।

Also Read- Singer Pranab Patnaik : ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ, ଚିରନିଦ୍ରାରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ସୌକାର ଜାନକୀଙ୍କ ବିୟୋଗରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୀର୍ଘ ଓ ଗୌରବମୟ ଅଭିନୟ ଜୀବନ ଭାରତୀୟ ସିନେମା ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।

ଭାରତୀୟ ସିନେମାରେ ବହୁତ କମ୍ କଳାକାର ଏମିତି ଅଛନ୍ତି ଯେଉଁମାନେ ଜାନକୀଙ୍କ ପରି ଫିଲ୍ମର ଲମ୍ବା ଇତିହାସ ରଖିବାର ଗୌରବ ଅର୍ଜନ କରିଛନ୍ତି। ଜାନକୀ ତାଙ୍କ କ୍ୟାରିଅରରେ ଦକ୍ଷିଣ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗର ମହାନ କଳାକାର- ଶିବାଜୀ ଗଣେଶନ, ଏନ.ଟି. ରାମା ରାଓ, ଏ. ନାଗେଶ୍ୱର ରାଓ ଏବଂ ଡକ୍ଟର ରାଜକୁମାରଙ୍କ ସହ କାମ କରିଥିଲେ। ସମସ୍ତେ ଦଶନ୍ଧି ଧରି ବିଭିନ୍ନ ସମୟରେ ତାଙ୍କ ସହିତ ସ୍କ୍ରିନ୍ ସେୟାର କରିଥିଲେ। ସିନେମାର ସେହି ଯୁଗରୁ ଏବର ଜେନ୍ ଜି ଯୁଗ ପର୍ଯ୍ୟନ୍ତ ପରଦାରେ ସକ୍ରିୟ ଥିଲେ ଜାନକୀ।

ନବେ ଦଶକର ବୟସରେ ମଧ୍ୟ, ଜାନକୀ ଅଭିନୟରୁ ଦୂରେଇ ଯାଇ ନଥିଲେ। ୨୦୨୩ରେ ନନ୍ଦିନୀ ରେଡ୍ଡୀଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର "ଆନ୍ନି ମାଞ୍ଚି ସକୁନାମୁଲେ"ରେ ଜେଜେମା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ। ସୌକରା ଜାନକୀଙ୍କ ବିୟୋଗ ଦକ୍ଷିଣ ଭାରତୀୟ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି।