ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ (ଗ୍ରୀଷ୍ମ) ମୌସୁମୀ ବାୟୁ ଗୁରୁବାର ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବର ଅବଶିଷ୍ଟ ଅଞ୍ଚଳକୁ ଭଲଭାବରେ ଛୁଇଁବା ପରେ ସାରା ଭାରତକୁ କଭର କରିଛି। ସାଧାରଣତଃ ଜୁଲାଇ ୮ ସୁଦ୍ଧା ମୌସୁମୀ ସାରା ଦେଶକୁ କଭର କରିନିଏ। ହେଲେ ଏଥର ସାରା ଦେଶକୁ କଭର କରିବାକୁ ଗୋଟିଏ ଦିନ ଅଧିକ ସମୟ ଲାଗିଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।

ଚଳିତ ଥର ୩ ଦିନ ବିଳମ୍ବରେ ଅର୍ଥାତ୍ ଜୁନ ୪ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଏହା ପରେ ସମଗ୍ର ଦେଶକୁ କଭର କରିବାକୁ ଏହାକୁ ୩୬ ଦିନ ସମୟ ଲାଗିଛି। ସାଧାରଣତଃ ମୌସୁମୀ ବାୟୁ ଜୁନ୍ ୧ରୁ ଜୁଲାଇ ୮ ମଧ୍ୟରେ, ଅର୍ଥାତ୍ ୩୮ ଦିନରେ ସମଗ୍ର ଭାରତକୁ କଭର କରିଥାଏ। IMD କହିଛି, ମୌସୁମୀ ବାୟୁର ଶୀଘ୍ର କିମ୍ବା ବିଳମ୍ବିତ ଆଗମନ ସମଗ୍ର ମୌସୁମୀ ବର୍ଷାର ପରିମାଣ କିମ୍ବା ବିତରଣକୁ ସିଧାସଳଖ ପ୍ରଭାବିତ କରେ ନାହିଁ। ତେବେ ଏହା ଖରିଫ ଚାଷର ବୁଣାକାମ ଏବଂ ଚାଷୀଙ୍କ ଫସଲ ଚୟନ ଉପରେ ପ୍ରଭାବ ପକାଇଥାଏ।

Also read- ଲାଗୁ ହେଲା ଭାରତ-ଅଷ୍ଟ୍ରେଲିଆ ସିଭିଲ ନ୍ୟୁକ୍ଲିୟର ବୁଝାମଣା, ୟୁରାନିୟମ ଯୋଗାଣ ଲାଗି ଖୋଲିଲା ରାସ୍ତା

ଗତ ୮ ଦିନରେ ଭଲ ବର୍ଷା ହେବାରୁ ଦେଶବ୍ୟାପୀ ନିଅଣ୍ଟିଆ ବର୍ଷା ଜୁନ୍ ୩୦ର ୪୦ ପ୍ରତିଶତରୁ କମି ଜୁଲାଇ ୯ ସୁଦ୍ଧା ୧୪ ପ୍ରତିଶତକୁ ଖସି ଆସିଛି। ତଥାପି ବର୍ଷାର ଅସମାନ ବୃଷ୍ଟି ଯୋଗୁ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, କେରଳ, ପଞ୍ଜାବ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଏବଂ ଗୋଆ ସମେତ ୧୦ଟି ରାଜ୍ୟରେ ଏବେ ବି ବଡ଼ ଧରଣର ବର୍ଷା ନିଅଣ୍ଟ ପରିସ୍ଥିତି ରହିଛି।

ଏହାର ପ୍ରଭାବରେ ଏହି ସବୁ ରାଜ୍ୟରେ ଖରିଫ ଚାଷର ବୁଣାକାମ ଧୀର ଗତିରେ ଚାଲିଛି। ଜୁଲାଇ ୬ ସୁଦ୍ଧାର ତଥ୍ୟ ଅନୁଯାୟୀ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ ଫସଲ ବୁଣା ଜମିର ପରିମାଣ ୨୧ ପ୍ରତିଶତ କମ୍ ରହିଛି। ଧାନ, ଡାଲି, ତୈଳବୀଜ, ମିଲେଟ୍ ଏବଂ କପା ଚାଷ କ୍ଷେତ୍ରରେ ମଧ୍ୟ ହ୍ରାସ ଦେଖାଯାଇଛି।

ଅନ୍ୟପକ୍ଷରେ, IMD ସତର୍କ କରିଛି ଯେ ବର୍ତ୍ତମାନର ଭଲ ବର୍ଷା ସ୍ଥିତି ଦୀର୍ଘସ୍ଥାୟୀ ହୋଇ ନପାରେ। ଆଗାମୀ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ମଧ୍ୟ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପୀୟ ଅଞ୍ଚଳରେ ବର୍ଷା ହ୍ରାସ ପାଇପାରେ। ଏହାର ପ୍ରଭାବ ବିଶେଷକରି ‘ମୌସୁମୀ କୋର୍ ଜୋନ୍’ ଉପରେ ପଡ଼ିପାରେ, ଯେଉଁଠାରେ କୃଷି କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ତେଣୁ ଚାଷ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।