କୋଇଡ଼ା: କୋଇଡ଼ା ଖଣି ଅଞ୍ଚଳରେ କାର୍ଯ୍ୟରତ ଏକ ନିର୍ମାଣ କମ୍ପାନିରେ ବଡ଼ ଅଘଟଣ । କମ୍ପାନିରେ ମେସିନ୍ ମରାମତି କାମ କରୁଥିବା ବେଳେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବିହାର ରାଜ୍ୟ କୈମୁର ଜିଲ୍ଲା ମୋହନିଆ ଥାନା ଅନ୍ତର୍ଗତ ପାଟେଲୱା ଗ୍ରାମର ଶେଖ୍ ଆଜମ (୨୮) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଶେଖ୍ କୋଇଡାସ୍ଥିତ ମା' ମୁଣ୍ଡେଶ୍ୱରୀ କନଷ୍ଟ୍ରକସନ୍ କମ୍ପାନିରେ ମେସିନ୍ ମରାମତି କର୍ମଚାରୀ ଭାବେ କାମ କରୁଥିଲେ । ହେଲେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ କମ୍ପାନିର କାର୍ଯ୍ୟସ୍ଥଳରେ ଏକ ମେସିନ୍ ମରାମତି କରୁଥିବା ବେଳେ ଅସାବଧାନତାବଶତଃ ମେସିନ୍ ଉପରେ ପଡ଼ିଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

Also Read: ଭୟଙ୍କର ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ; ଅଳ୍ପକେ ବର୍ତ୍ତିଲେ ଅନ୍ୟ ୨ ଯୁବକ

ସହକର୍ମୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମୃତକଙ୍କ ପିତା ଶେଖ୍ ସୋହରାବ କୋଇଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୁଲିସ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଶବ ଜବତ ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ମୃତ ଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।