ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ନିଜର ପ୍ରଥମ ସ୍ବଦେଶୀ ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କରିଛି ।  ଉତ୍ତର କୋରିଆ ସହ ବଢ଼ୁଥିବା ବିବାଦ ମଧ୍ୟରେ ଦକ୍ଷିଣ କୋରିଆ ଏହି ସଫଳତା ହାସଲ କରିଛି । ଏହି ପରୀକ୍ଷଣ ସମୟରେ ଦେଶର ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ ଉପସ୍ଥିତ ଥିଲେ ।  ପ୍ରତିରକ୍ଷା କ୍ଷେତ୍ର​‌ରେ ନିଜସ୍ବ ପ୍ରଯୁକ୍ତିବିଦ୍ୟାକୁ ଅଧିକ ସୁଦୃଢ଼ କରିଛି ଦକ୍ଷିଣ କୋରିଆ । ଏହି ଅସ୍ତ୍ର ପରୀକ୍ଷଣ କରି, ଦକ୍ଷିଣ କୋରିଆ ନିଜର ପ୍ରତଦ୍ବନ୍ଦୀ ଉତ୍ତର କୋରିଆକୁ ଚ୍ୟାଲେଞ୍ଜ କରିଛି । 

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅନୁସାରେ, ଏହି ହାଇପରସୋନିକ ମିସାଇଲ୍‌ ଶବ୍ଦଠାରୁ ୫ ଗୁଣ ଅଧିକ ବେଗରେ ଗତି କରିପାରିବ । ପରୀକ୍ଷଣ ସମୟରେ ଏହା ନିର୍ଦ୍ଧାରିତ ଉଚ୍ଚତାରେ ନିଜର ବୁଷ୍ଟରରୁ ଅଲଗା ହୋଇଥିଲା । ପରେ ଏହା ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ମାକ୍‌ ୫ ବେଗରେ ଗତି କରିବାର କ୍ଷମତା ଥିବାରୁ ଏହି ଅସ୍ତ୍ରକୁ କୌଣସି ଶତ୍ରୁ ଦେଶର ରାଡାର ମଧ୍ୟ ଚିହ୍ନଟ କରିପାରିବ ନାହିଁ । 

ଏହ ଅସ୍ତ୍ର ବା ମିସାଇଲ୍‌ ଉଡ଼ାଣ ସମୟରେ ଦିଗ ପରିବର୍ତ୍ତନ କରିପାରିବାର କ୍ଷମତା ରଖିଛି । ଏପରିକି ଏହା କମ୍‌ ଉଚ୍ଚତାରେ ଗତି କରି ଟାର୍ଗେଟକୁ ମାଡ଼ କରିପାରିବ । ସେନାରେ ସାମିଲ ହେବା ପରେ କୋରିଆ ଉପଦ୍ବୀପର ଯେକୌଣସି ସ୍ଥାନ, ଦକ୍ଷିଣ କୋରିଆର ଟାର୍ଗେଟରେ ରହିବ । ଏହି ଅଞ୍ଚଳର ଯେକୌଣସି ସ୍ଥାନକୁ ଟାର୍ଗେଟ କରିବା ଲାଗି ସକ୍ଷମ ହୋଇପାରିବ ଦକ୍ଷିଣ କୋରିଆ । 

ପଛରେ ନାହିଁ ଉତ୍ତର କୋରିଆ
ସେପଟେ ଉତ୍ତର କୋରିଆ କିଛି ଦିନ ପୂର୍ବରୁ ନିଜର ଏକ ମଧ୍ୟମ ଧରଣର ହାଇପରସୋନିକ୍‌ ମିସାଇଲର ସଫଳ ପରୀକ୍ଷଣ କରିଥିଲା । ଏହି ପରୀକ୍ଷଣ ସମୟରେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ନିଜେ ଉପସ୍ଥିତ ରହିଥିଲେ ।  ଉତ୍ତର କୋରିଆ ଦାବି କରିଥିଲା ଯେ, ମିସାଇଲଟି ୧୦୦୦ କିଲୋମିଟର ଅତିକ୍ରମ କରିବା ପରେ ସମୁଦ୍ରରେ ପଡ଼ିଥିଲା । 

ମିସାଇଲର ଗତିପଥକୁ ଚିହ୍ନଟ କରିବାରେ ଦକ୍ଷିଣ କୋରିଆ ଏବଂ ଜାପାନ ବିଫଳ ହୋଇଥିଲେ ବୋଲି କିମ୍‌ଙ୍କ ଭଉଣୀ କିମ୍‌ ଯୋ ଜଙ୍ଗ ଦାବି କରିଥିଲେ । କିନ୍ତୁ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବିକୁ ଖଣ୍ଡନ କରିଥିଲା । ଉତ୍ତର କୋରିଆର ମିସାଇଲ ଉପରେ ନଜର ରଖାଯାଇଥିଲା ବୋଲି ଦକ୍ଷିଣ କୋରିଆ କହିଥିଲା । ଅନ୍ୟପଟେ, ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦକ୍ଷିଣ କୋରିଆର ଯବାନ ଆହତ ହୋଇଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି ।