ଭୁବନେଶ୍ଵର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବଲିଉଡ୍ର କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛନ୍ତି। ରଥଯାତ୍ରା ଦେଖିବା ସହ କାଳିଆ ସାଆନ୍ତଙ୍କ ଦର୍ଶନ ଓ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶା ଆସିଛନ୍ତି, ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାବବିହ୍ୱଳ କଣ୍ଠରେ ସୋନୁ ଯାହା କହିଛନ୍ତି, ତାହା ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ଛୁଇଁଯାଇଛି। ସେ କହିଛନ୍ତି, ବହୁ ବର୍ଷ ଧରି ତାଙ୍କର ରଥଯାତ୍ରା ଦେଖିବାର ଯେଉଁ ବଡ଼ ଆଶା ଥିଲା, ତାହା ଆଜି ପୂରଣ ହେବାକୁ ଯାଉଛି। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିବା ପାଇଁ ସେ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ।

Also Read: ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୬ଟାରୁ ମଙ୍ଗଳ ଆଳତି, ସକାଳ ୯ଟା ୩୦ରୁ ପହଣ୍ଡି ଆରମ୍ଭ

ସେ କହିଛନ୍ତି, ଶତାଧିକ ଓଡ଼ିଆ ଭଜନ ଗାଇଛି, ହେଲେ ରଥଯାତ୍ରା ଦେଖିବା ଏଥର ପ୍ରଥମ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶତାଧିକ ଓଡ଼ିଆ ଜଗନ୍ନାଥ ଭଜନ ଗାଇଥିଲେ ମଧ୍ୟ ସେ କେବେ ରଥଯାତ୍ରା ସମୟରେ ପୁରୀ ଆସିପାରି ନଥିଲେ। ସେଥିପାଇଁ ଚଳିତ ବର୍ଷର ଏହି ସୁଯୋଗ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଭାବପୂର୍ଣ୍ଣ ଯାତ୍ରାରେ ସେ ନିଜ ସହ ତାଙ୍କ ଭଉଣୀଙ୍କୁ ମଧ୍ୟ ଓଡ଼ିଶା ନେଇ ଆସିଛନ୍ତି।

"ପୂର୍ବ ଜନ୍ମରେ ବୋଧହୁଏ ମୁଁ ଜଣେ ଓଡ଼ିଆ ଥିଲି"

ଓଡ଼ିଶା ଏବଂ ମହାପ୍ରଭୁଙ୍କ ପ୍ରତି ତାଙ୍କର ଥିବା ପ୍ରେମକୁ ପ୍ରକାଶ କରି ସେ କହିଛନ୍ତି, "ମୋତେ ଲାଗୁଛି ମୁଁ ପୂର୍ବ ଜନ୍ମରେ ଜଣେ ଓଡ଼ିଆ ଥିଲି। ଓଡ଼ିଶାର ମାଟି ଓ ପବନ ସହ ମୋର ଏକ ଭିନ୍ନ ଆତ୍ମୀୟ ସମ୍ପର୍କ ରହିଛି।" ବଲିଉଡରେ ତାଙ୍କର ହିନ୍ଦୀ ଗୀତଗୁଡ଼ିକ ସୁପରହିଟ୍ ହେବା ପୂର୍ବରୁ ସେ ଓଡ଼ିଆ ଭଜନ ଗାଇବା ଆରମ୍ଭ କରିଦେଇଥିଲେ। ସେ କହିଛନ୍ତି ମୋ ଜୀବନରେ ସବୁଠୁ ବଡ଼ ସ୍ମରଣୀୟ ଦିନ ହେଉଛି ଯେତେବେଳେ ମୁଁ ଦିନକୁ ୮/୧୦ ଓଡ଼ିଆ ଭଜନ ଗାଉଥିଲି। ଓଡ଼ିଆ ଭାଷା ଏବଂ ଏଠାକାର ଶ୍ରଦ୍ଧାଳୁଙ୍କ ଭଲପାଇବା ତାଙ୍କ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ରହିଛି।

Also Read: Indian Idol ଫାଇନାଲରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ: ଭୁବନେଶ୍ୱରରେ ପହଞ୍ଚିବା ପରେ ମିଳିଲା ଭବ୍ୟ ସ୍ୱାଗତ