ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ୍ ସିଜେନ୍-୧୬ ମଞ୍ଚରେ ନିଜ ସ୍ୱରର ଯାଦୁ ଦେଖାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ । ଗ୍ରାଣ୍ଡ ଫିନାଲେର ମହାଲଢ଼େଇ ପୂର୍ବରୁ ଆଜି ସେ ନିଜ ମାଟି ଓଡ଼ିଶାକୁ ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କ ପକ୍ଷରୁ ଅଭୂତପୂର୍ବ ଓ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଜ୍ୟୋତିର୍ମୟୀଙ୍କୁ ପାଖରେ ପାଇବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କିଏ ଫୁଲତୋଡ଼ା ଦେଇ ତ କିଏ ଫୁଲମାଳ ପିନ୍ଧାଇ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଜ୍ୟୋର୍ତିମୟୀ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁଁ ଆଜି ମୁଁ ଇଣ୍ଡିଆନ ଆଇଡଲ୍ ଭଳି ଏକ ବଡ଼ ଜାତୀୟ ମଞ୍ଚରେ ପହଞ୍ଚି ପାରିଛି । ଆଗକୁ ଗ୍ରାଣ୍ଡ ଫିନାଲେ ଅଛି, ମତେ ବିଜୟୀ କରିବା ପାଇଁ ମୁଁ ସମସ୍ତ ଓଡ଼ିଶାବାସୀଙ୍କ ସହଯୋଗ କାମନା କରୁଛି ।

କଟକରୁ ନିଜର ଗୀତ ଗାଇବା କ୍ୟାରିୟର ଆରମ୍ଭ କରିଥିବା ଜ୍ୟୋତିର୍ମୟୀ ପୂର୍ବରୁ ଓଡ଼ିଶାରେ ଘରେ ଘରେ ବେଶ ପରିଚିତ ଥିଲେ । ବିଶେଷ କରି ତାଙ୍କ କଣ୍ଠର ଭଜନ ଶ୍ରୋତାଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥାଏ । ଏବେ ଇଣ୍ଡିଆନ ଆଇଡଲ୍ ମଞ୍ଚରେ ସେ ଟପ୍-୫ ଫାଇନଲିଷ୍ଟ ହୋଇ ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ ପାଲଟିଛନ୍ତି। ଏଥର ଇଣ୍ଡିଆନ ଆଇଡଲ୍ ଟ୍ରଫି ଓଡ଼ିଆଙ୍କ ହାତକୁ ଆସିବ ବୋଲି ସମସ୍ତେ ବେଶ୍ ଆଶାବାଦୀ ଅଛନ୍ତି।

ଜ୍ୟୋତିର୍ମୟୀଙ୍କ ନିଜ ସ୍ୱର ଓ ଗୀତ ମାଧ୍ୟମରେ ଅନେକ କ୍ୟାନ୍ସର ରୋଗୀଙ୍କୁ ‘ମ୍ୟୁଜିକ୍ ଥେରାପି’ ଦେଇ ମାନସିକ ଶାନ୍ତି ପ୍ରଦାନ କରନ୍ତି । ତାଙ୍କର ଏହି ମହତ ଗୁଣ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ଭିନ୍ନ କରିଛି ବୋଲି ସ୍ଥାନୀୟ ଶୁଭେଚ୍ଛୁମାନେ କହିଛନ୍ତି । ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ୍ ସିଜିନ୍-୧୬ର ବିଜେତା ହେବେ କି ନାହିଁ, ତାହା ତ ଗ୍ରାଣ୍ଡ ଫିନାଲେ ଦିନ ହିଁ ଜଣାପଡ଼ିବ, କିନ୍ତୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ସେ ଗର୍ବିତ କରିସାରିଛନ୍ତି ।