ମୋରଡା ୨୯।୧: ପୁଅଟିଏ ପାଇବା ପାଇଁ ମା’ ମାନେ କେତେ ଓଷା ବ୍ରତ କରୁଛନ୍ତି । ହେଲେ ସେଇ ପୁଅ ମା’କୁ ପର କରିଦେଉଛି । ଏମିତି କି ମା’ର ଜୀବନ ନେବାକୁ ପଛାଉନାହିଁ ।  ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବେତନଟୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନିଜ ପୁଅକୁ ସକାଳୁ ଖାଇବାକୁ ଦେବ ବୋଲି ରୋଷେଇ କରୁଥିଲା ମା’ । ଯେଉଁ ପୁଅକୁ ସେ ଖାଇବାକୁ ଦେଇଥାନ୍ତା ସେ କ'ଣ ଜାଣିଥିଲା ସେଇ ପୁଅ ତାର ଜୀବନ ନେଇଯିବ । ଡାହାଣୀ ସନ୍ଦେହ ସବୁକିଛି ପର କରିଦେଲା । ମା’କୁ ବି ହତ୍ୟା କରିବାକୁ ପଛାଇଲା ନାହିଁ ପୁଅ । ଡାହାଣୀ ସନ୍ଦେହରେ ନିଜ ଜନ୍ମ କଲା ମା’କୁ ହତ୍ୟା କରିଛି ଏକମାତ୍ର ପୁଅ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ପଞ୍ଚାୟତର କଲରାଫୁଲିଆ ଗ୍ରାମର ରାଇମଣୀ ସିଂ ତାଙ୍କର ଏକମାତ୍ର ପୁଅ ତପନ ସହିତ ଘରେ ରହୁଥିଲେ । ତେବେ ତପନ ସବୁଦିନ ମଦ୍ୟପାନ କରି ଘରକୁ ଆସୁଥିଲା । ତପନଙ୍କ ମା’ ରାଇମଣୀ ଦିନ ମଜୁରିଆ ଭାବେ କାମ କରନ୍ତି । ସେ ଯାହା ବି ରୋଜଗାର କରି ଆଣନ୍ତି ତପନ ସେସବୁ ଟଙ୍କା ମଦ ପିଇବା ପାଇଁ ମାଗନ୍ତି । ଯଦି ମା’ ରାଇମଣୀ ଟଙ୍କା ନଦିଅନ୍ତି ପୁଅ ତାଙ୍କୁ ମାଡ଼ ମାରନ୍ତି । ପୂର୍ବରୁ ତପନ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିବାରୁ ସେ ତପନକୁ ଛାଡି ବାପଘରକୁ ଚାଲି ଯାଇଛନ୍ତି ବୋଲି ପୋଡଶୀ ଅଭିଯୋଗ କରିଛନ୍ତି ।

​​​​​​​

ତେବେ ଗୁରୁବାର ରାଇମଣୀ ପୁଅ ପାଇଁ ରୋଷେଇ କରୁଥିବା ବେଳେ ତପନ ଟଙ୍କା ମାଗିଥିଲେ । ମା’ ରାଇମଣୀ ଟଙ୍କା ନଦେବାରୁ ତାଙ୍କୁ ଦାଉଲିରେ ପିଟି ପୁଅ ତପନ ହତ୍ୟା କରିଛି ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ କିନ୍ତୁ ଘଟଣାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛି ଅଭିଯୁକ୍ତ ପୁଅ ତପନ । ମା’ ଗୁଣି କରି ସ୍ତ୍ରୀ ଗର୍ଭରେ ମୋ ଛୁଆକୁ ମାରିଦେଲା । ସେଥିପାଇଁ ମୁଁ ମା’କୁ ମାରିଦେଇଛି । ଖବର ପାଇ ବେତନଟୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ରହିଛି ।