କାଠମାଣ୍ଡୁ: ନେପାଳ ଦକ୍ଷିଣ ତରାଇ କ୍ଷେତ୍ରରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସକ ସଂଘର୍ଷ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ଭାରତ ସୀମାରେ ବିହାରକୁ ଲାଗି ରହିଥିବା ଜନକପୁର, ସିରାହା ଓ ସପ୍ତରୀ ଜିଲ୍ଲାର ଅନେକ ଅଞ୍ଚଳରେ ଅନିଶ୍ଚିତକାଳୀନ କର୍ଫ୍ୟୁ ଜାରି କରିଛି। ଏଥିରେ ସିରାହା ଜିଲ୍ଲା ପ୍ରଶାସନ ଗୁରୁବାର ମଧ୍ୟାହ୍ନ ୨ଟାରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିଥିବାର ଘୋଷଣା କରିଛି।

ପ୍ରଶାସନ କହିଛି ଯେ ସାମ୍ପ୍ରଦାୟିକ ଉତ୍ତେଜନା ଓ ହିଂସା ବ୍ୟାପିବା ଆଶଙ୍କାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ଜୁଲାଇ ୨୬ ତାରିଖ ଦିନ ସୁନସରି ଜିଲ୍ଲାର କପ୍ତାନଗଞ୍ଜ ଅଞ୍ଚଳରେ ଶ୍ରାବଣ ମାସର ବୋଲବମ ଯାତ୍ରା କାଳରେ ହିନ୍ଦୁ ଶ୍ରଦ୍ଧାଳୁ ପବିତ୍ର ଜଳ ନେଇ ଡିଜେ ସହିତ ଯାଉଥିଲେ। ପୋଲିସ ଅନୁସାରେ ଡିଜେ ଶବ୍ଦକୁ ନେଇ କିଛି ମୁସଲମାନ ସମୂଦାୟ ଲୋକେ ଆପତ୍ତି କରିଥିଲେ। ଏହା ପରେ ଦୁଇପକ୍ଷଙ୍କ ମଧ୍ୟରେ ବାକବିତଣ୍ଡା ହୋଇଥିଲା ଯାହା ଦେଖୁ ଦେଖୁ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା।

ଉଭୟ ସମ୍ପ୍ରଦାୟର ଲୋକେ ପରସ୍ପରକୁ ଲାଠି, ପଥର, ଲୁହାରଡ ଆଦିରେ ଆକ୍ରମଣ କରିଥିଲେ। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ପୋଲିସକୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଥିଲା। ଏହି ସମୟରେ ପୋଲିସ ଗୁଳି ବାଜି ଓମପ୍ରକାଶ ମେହେଟ୍ଟା ନାମକ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ ସୁନସରି ଜିଲ୍ଲାର ଇନରୁଭା, ଦୁହାବି, କୋଷି, ଦେବାନଗଞ୍ଜ, ହରିନଗର, ଗଢି, ବରଜୁ ଓ ଭୋକରାହା ନରସିଂହ ସହିତ ବିଭିନ୍ନ ନଗର ପାଳିକାରେ କର୍ଫ୍ୟୁ ଜାରି ହୋଇଛି। ସେହିପରି ସିରାହା ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ଲୋକଙ୍କ ଯାତାୟାତ ଉପରେ ରୋକ ଲଗା ଯାଇଛି।

ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ (ଏନଏସସି) ବୈଠକ ଅନୁଷ୍ଠିତ ହୋଇଛି। ପରିଷଦ ସବୁ ସୁରକ୍ଷା ଏଜେନ୍ସୀ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ ରଖିବାକୁ ଓ ସାମ୍ପ୍ରଦାୟିକ ସଦଭାବ କାୟମ ରଖିବାକୁ ନିଷ୍ପତ୍ତି ନେଇଛି। ସରକାର କହିଛନ୍ତି ଯେ ରାଜନୈତିକ ଦଳ, ସ୍ଥାନୀୟ ସମୂଦାୟ ଓ ସୁରକ୍ଷା ବଳଙ୍କ ମିଳିତ ଉଦ୍ୟମରେ ପରିସ୍ଥିତି ଧିରେ ଧିରେ ସ୍ୱଭାବିକ ହେଉଛି। ତେବେ କୌଣସି ପ୍ରକାରର ନୂଆ ହିଂସାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଇଛି।