ଭୁବନେଶ୍ୱର: ଆଜି କାଲିର ଡିଜିଟାଲ୍ ଯୁଗରେ ଅଧିକାଂଶ ଲୋକ କମ୍ପ୍ୟୁଟର କିମ୍ବା ଲାପଟପ୍ ଆଗରେ ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି। ଆପଣ ବି ଯଦି ଡେସ୍କ ଜବ୍ କରୁଛନ୍ତି ଏବଂ ବିନା କୌଣସି ବ୍ରେକରେ କ୍ରମାଗତ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହୁଛନ୍ତି, ତେବେ ସାବଧାନ! ଏହି ଅଭ୍ୟାସ ଆପଣଙ୍କ କିଡନୀକୁ ଗମ୍ଭୀର ଭାବେ ନଷ୍ଟ କରିପାରେ। ଭବିଷ୍ୟତରେ ଏହା 'କ୍ରୋନିକ୍ କିଡ୍ନୀ ଡିଜିଜ୍' ର ରୂପ ନେବାର ବଡ଼ ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ନେଫ୍ରୋଲୋଜିଷ୍ଟଙ୍କ ଅନୁଯାୟୀ, ଯେଉଁମାନେ ଦୈନନ୍ଦିନ ୩ ରୁ ୪ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହୁଛନ୍ତି, ସେମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି।

କ୍ରମାଗତ ବସିବା ଦ୍ୱାରା କିଡନୀ ଉପରେ କିପରି ପଡ଼େ ପ୍ରଭାବ?

ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଦ୍ୱାରା ଶରୀରରେ ରକ୍ତସଞ୍ଚାଳନ ଧୀମା ହୋଇଯାଏ। ଏହାଫଳରେ ଶରୀରରେ ଇନସୁଲିନ୍ ରେଜିଷ୍ଟାନ୍ସ ବୃଦ୍ଧି ପାଏ ଓ ମେଟାବୋଲିଜିମ୍ ଧୀର ହୋଇଯାଏ। ଓଜନ ବୃଦ୍ଧି, ଟାଇପ୍-୨ ଡାଏବେଟିସ୍ ଏବଂ ଉଚ୍ଚ ରକ୍ତଚାପର ବିପଦ ବଢ଼ିଥାଏ। ଏହି ତିନୋଟି ଯାକ ସମସ୍ୟା କିଡ୍ନୀ ଖରାପ ହେବାର ପ୍ରମୁଖ କାରଣ।

Also Read: ନିଦରେ ମସ୍ତିଷ୍କର ଅଜବ ଖେଳ ! ଶବ୍ଦ ଶୁଣି ଭାଙ୍ଗିଦିଏ ନିଦ କିନ୍ତୁ ବାରିପାରେନି ଗନ୍ଧ...

ଶରୀରର ସନ୍ତୁଳନ ବଜାୟ ରଖିବା ପାଇଁ କିଡନୀକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହା ଦ୍ୱାରା ଏହା ଉପରେ ଅତିରିକ୍ତ ଚାପ ପଡ଼ିଥାଏ। ଏହାସହ ଡେସ୍କ ଜବ୍ କରୁଥିବା ଲୋକମାନେ ପ୍ରଚୁର ପାଣି ପିଇବାକୁ ଭୁଲିଯାଉଥିବାରୁ କିଡନୀ ସମସ୍ୟା ଆହୁରି ଜଟିଳ ହୋଇଥାଏ।

କିଡ୍ନୀକୁ ସୁସ୍ଥ ରଖିବା ପାଇଁ ଜରୁରୀ ଟିପ୍ସ ଓ ଡାକ୍ତରଙ୍କ ପରାମର୍ଶ

ଛୋଟ ବ୍ରେକ୍ ନିଅନ୍ତୁ: ପ୍ରତି ୩୦ ରୁ ୪୦ ମିନିଟରେ ଅତିକମରେ ୨ ରୁ ୩ ମିନିଟ୍ ପାଇଁ ଛିଡ଼ା ହୋଇ ଚାଲନ୍ତୁ କିମ୍ବା ଷ୍ଟ୍ରେଚିଂ କରନ୍ତୁ।

ପ୍ରଚୁର ପାଣି ପିଅନ୍ତୁ: ଡେସ୍କ ଉପରେ ସବୁବେଳେ ପାଣି ବୋତଲ ରଖନ୍ତୁ ଏବଂ ନିୟମିତ ପାଣି ପିଅନ୍ତୁ।

ଲୁଣ ଓ ପ୍ୟାକେଜ ଫୁଡ୍ କମ୍ କରନ୍ତୁ: ଖାଦ୍ୟରେ ଅତିରିକ୍ତ ଲୁଣ ଓ ବାହାର ଖାଦ୍ୟ ଖାଇବାରୁ ନିବୃତ୍ତ ରୁହନ୍ତୁ।

ପର୍ଯ୍ୟାପ୍ତ ନିଦ: ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ।

ନିୟମିତ ଚେକଅପ୍: ବର୍ଷକୁ ଅତିକମରେ ଥରେ କିମ୍ବା ୬ ମାସରେ ଥରେ 'କିଡ୍ନୀ ଫଙ୍କସନ୍ ଟେଷ୍ଟ' କରାନ୍ତୁ।