ପୁରୀ: ଭାରତର ଜଣାଶୁଣା ଗାୟକ ତଥା ଅଭିନେତା ମିକା ସିଂ ଶନିବାର ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ଲାଭ କରିଛନ୍ତି। ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି।

ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ଜୟ ଜଗନ୍ନାଥ କହି ନିଜ ହୃଦୟର କଥା ବଖାଣିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିବା ସହ ଅତି ସୁନ୍ଦର ଦର୍ଶନ ହେଲା ବୋଲି କହିଛନ୍ତି। ସେହିପରି ମହାପ୍ରଭୁଙ୍କର ଦୁର୍ଲଭ ମହାପ୍ରସାଦ ସେବନ କରିବାର ସୁଯୋଗ ମିଳିଥିବା କହିଛନ୍ତି। ଶ୍ରୀମନ୍ଦିରରୁ ଅନେକ କିଛି ଶିଖିବାକୁ ମିଳୁଛି। ମହାପ୍ରଭୁଙ୍କ ଯେତେବେଳେ ଯିଏ ଯାହା ମାଗନ୍ତି ମହାପ୍ରଭୁ ସବୁ ଆଶା ପୂରଣ କରିଦିଅନ୍ତି। ଏଣୁ ମହାପ୍ରଭୁଙ୍କ ପାଖକୁ ଆସି ଦର୍ଶନ କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି କହିଛନ୍ତି। ଏଥି ସହ ଦେଶର ମଙ୍ଗଳ କାମନା ସହିତ ଭାରତ ଏବଂ ଭାରତ ବାହାରେ ଥିବା ପ୍ରଶଂସକ ମାନଙ୍କର ମଙ୍ଗଳ କାମନା କରିଛନ୍ତି ମିକା ସିଂ।