କଣାସ ୨୦।୭: ଜମିବାଡ଼ି ବିବାଦକୁ ନେଇ ପୁଣି କଣାସ ହେଲା ରକ୍ତ ରଞ୍ଜିତ । ପୁରୀ ଜିଲ୍ଲା କଣାସ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଚାନ୍ଦପଡ଼ା ବଳାଜିତପୁରରେ ହଣାକଟା । ପୈତୃକ ସମ୍ପତ୍ତି ପାଇଁ ଭାଇ-ଭଉଣୀ ଭିତରେ ଖଣ୍ଡ ଯୁଦ୍ଧ । ସାନ ଭଉଣୀର କଟୁରୀ ଚୋଟରେ ବଡ଼ ଭାଇ ହେଲା ଗୁରୁତର । ହାତାହାତି ବେଳେ ସାନ ଭଉଣୀ ଆହତ ହୋଇଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା କଣାସ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପଡ଼ା ବଳାଜିତପୁର ଗାଁରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଭାଇ-ଭଉଣୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି । ସାନ ଭଉଣୀଙ୍କ କଟୁରୀ ଚୋଟରେ ବଡ଼ ଭାଇଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି । ହାତାହାତି ସମୟରେ ସାନ ଭଉଣୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

Also Read:- ଲିଫ୍ଟ ଦେଇ ଜଙ୍ଗଲକୁ ନେଇଗଲା ଯୁବକ, ଦୁଷ୍କର୍ମ ଉଦ୍ୟମ ବେଳେ ଖସିଆସିଲେ ଯୁବତୀ ; ଆଉ ତାପରେ..

ତେବେ ଗୁରୁତର ଆହତ ବଡ଼ ଭାଇଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସା ପରେ ସେ ଘରକୁ ଫେରିଥିବା ବେଳେ ସାନ ଭଉଣୀ କଣାସ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ସାମାନ୍ୟ ଜମିବାଡ଼ି ବିବାଦକୁ ନେଇ ରକ୍ତ ସମ୍ପର୍କର ଭାଇ-ଭଉଣୀଙ୍କ ମଧ୍ୟରେ ଏଭଳି ହଣାକଟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କାଠ ଫାଳିଆ ଓ କଟୁରୀ ଚୋଟରେ ଉଭୟ ପକ୍ଷର ଲୋକେ ଗୁରୁତର ହୋଇଛନ୍ତି । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ କଣାସ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଅଭିଯୋଗକୁ ଭିତ୍ତିକରି କଣାସ ପୋଲିସ ତଦନ୍ତ ଆରମ୍ଭ କରିଛି ।