ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ। ତେଲଠୁ ଗ୍ୟାସ୍ ସବୁଠି ସଙ୍କଟ। ବଢ଼ିଗଲାଣି ଭାରତୀୟଙ୍କ ପକେଟ୍ ଖର୍ଚ୍ଚ। ଏବେ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ମହଙ୍ଗା ମାଡ଼। ପୋଷାକ ଏବଂ ଘରୋଇ ଉପକରଣ ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀ ମହଙ୍ଗା ହୋଇଯାଇଛି। ଏହି ପ୍ରଭାବ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ। ଇୱାଇ ଇଣ୍ଡିଆର ବିଶ୍ଳେଷଣ ଅନୁସାରେ, ଖାଇବା ତେଲ ଦାମ ୭%ରୁ ଅଧିକ ବଢ଼ିଯାଇଛି।ଭାରତ ଏହାର ଆବଶ୍ୟକତାର ୫୭% ଖାଇବା ତେଲ ଆମଦାନି କରିଥାଏ। ଏଥିରେ ପାମ୍ ଅଏଲ୍, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ରହିଛି। ମାଲ୍ ପରିବହନ, ପ୍ୟାକେଜିଂ ଏବଂ କଞ୍ଚାମାଲ ଦର ବୃଦ୍ଧି ଯୋଗୁ ବିସ୍କୁଟ, ସାବୁନ, ପେଷ୍ଟ୍ ଭଳି ଏଫ୍ଏମ୍ସିଜି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ଦାମ ବଢ଼ାଇ ପାରନ୍ତି। କିମ୍ବା ନହେଲେ ପ୍ୟାକେଟକୁ ଛୋଟ କରିପାରନ୍ତି ।

ଇୱାଇର ରିପୋର୍ଟ ମୁତାବକ, ଅଭାବ ସ୍ଥିତି ଯୋଗୁ ୨୦୨୬-୨୭ ଆର୍ଥିକବର୍ଷ ପୋଷାକ ଏବଂ ପେଣ୍ଟ୍ ଦର ୨ରୁ୫% ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ।ଯୁଦ୍ଧ ଯୋଗୁ ଦରଦାମ ତେଜିଛି । ଖୁଚୁରା ମୁଦ୍ରାସ୍ଫୀତି ଉପର ମୁହାଁ ହୋଇଛି । ଦରଦାମ ତେଜିବା ନେଇ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅନୁମାନ କରିଥିଲା । ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟରେ ଏହା ୩.୪% ଛୁଇଁଛି । ଯୁଦ୍ଧ ବନ୍ଦ ନ ହେଲେ ଦରଦାମ ସ୍ଥିତିରେ ସୁଧାର ଆସିନ ପାରେ ।

ମଧ୍ୟପ୍ରାଚ୍ୟ ସଂକଟକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଦ୍ୱାରା ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି । ଫଳରେ ସୋମବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮%ରୁ ଅଧିକ ବଢ଼ି ୧୦୪ ଡଲାର ପାର୍ କରିଯାଇଛି । ଏହାଫଳରେ ସର୍ଫେକ୍ଟେଣ୍ଟ ଏବଂ ପେଟ୍ରୋକେମିକାଲ ଡେରିଭେଟିଭ୍ର ଅଭାବ ଦେଖାଦେଇଛି । ଫଳରେ ସାମ୍ପୋ, ସାବୁନ ଭଳି ଉତ୍ପାଦର ଯୋଗାଣ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ କମ୍ପାନିଗୁଡ଼ିକ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି । ଘରୋଇ ଉପକରଣର ଉତ୍ପାଦନ ଖର୍ଚ୍ଚ ୧୦ରୁ ୧୫% ବଢ଼ିଯାଇଛି । ଏହାର ୭୦% ଅଂଶ କମ୍ପାନିଗୁଡ଼ିକ ପୂର୍ବରୁ ହିଁ ଗ୍ରାହକଙ୍କ ମୁଣ୍ଡରେ ପକାଇସାରିଲେଣି । ୱାଶିଂ ମେଶିନ, ଫ୍ରିଜ୍, ଫ୍ୟାନ୍ ଏବଂ ଏଲ୍ଇଡି ସବୁର ଦାମ ବଢ଼ିଯାଇଛି ।

ସେପଟେ ଆଗକୁ ଗ୍ରୀଷ୍ମ ବଢ଼ିବା ସହ ଆଗକୁ ଚାହିଦା ବୃଦ୍ଧି ସହ ଦାମ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅଶୋଧିତ ତୈଳ ଦର ବୃଦ୍ଧି ଦ୍ୱାରା ପ୍ଲାଷ୍ଟିକ୍ର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ବୃଦ୍ଧି ପାଇଛି । ଟେକ୍ସଟାଇଲ କ୍ଷେତ୍ରରେ ପଲିଷ୍ଟର, ନାଇଲନ ଏବଂ କଲର-କେମିକାଲ୍ସ ୨୦ରୁ ୨୫% ମହଙ୍ଗା ହୋଇଯାଇଛି । ଭାରତର ପୋଷାକ ଉତ୍ପାଦନରେ ୬୦% ଅଂଶ ସିନ୍ଥେଟିକ ଫାଇବର୍ର ରହିଛି ।