ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନୂଆ ସଚିବ ନିଯୁକ୍ତ କରିବାକୁ ଯାଉଛି। ସମ୍ପର୍କିତ ସୂତ୍ର ଅନୁସାରେ ଆଇଆଇଟି ବମ୍ବେ ଇଞ୍ଜିନିୟର ତଥା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ପ୍ରକଳ୍ପ ପ୍ରବନ୍ଧକ ଜଗଦୀଶ ଅଫାଲେଙ୍କ ନାମ ଏହି ପଦବୀ ନିମନ୍ତେ ପ୍ରସ୍ତାବ କରାଯାଇଛି। ଆଶା କରାଯାଉଛି ଟ୍ରଷ୍ଟର ୨ ସେପ୍ଟେମ୍ବର କାର୍ଯ୍ୟକାରୀ ବୈଠକରେ ଏହି ପ୍ରସ୍ତାବକୁ ଔପଚାରିକ ମଞ୍ଜୁରୀ ମିଳିଯିବ। ରାମ ମନ୍ଦିରର କାର୍ଯ୍ୟ ଚାପ ସମ୍ଭାଳିବା ପାଇଁ ପ୍ରଶାସନିକ ପୁନର୍ଗଠନରେ ଏକ ସଚିବ ପଦ ସୃଷ୍ଟି କରାଯାଇଥିଲା। ମନ୍ଦିରର ଦାନ ଚୋରି ଅଭିଯୋଗ ପରେ ଟ୍ରଷ୍ଟ ନିଜର ପ୍ରଶାସନିକ ଢାଞ୍ଚାରେ ସୁଧାର ଲାଗି ପ୍ରସ୍ତାବିତ ନିଯୁକ୍ତି କରୁଛି।

ଅଯୋଧ୍ୟା ଶ୍ରୀ ରାମ ମନ୍ଦିରର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ କୃଷ୍ଣ ମୋହନ କହିଛନ୍ତି ଯେ ଅଫାଲେଙ୍କ ନାମ ଏହି ପଦବୀ ଲାଗି ପ୍ରସ୍ତାବ କରାଯାଇଛି। ଯଦି ତାଙ୍କୁ ସଚିବ ନିଯୁକ୍ତ କରାଯାଏ ତେବେ ସେ ମନ୍ଦିରର ଦୈନିକ ପ୍ରଶାସନ ଦେଖରେଖ କରିବେ ଓ ମୋହନଙ୍କୁ ରିପୋର୍ଟ କରିବେ। ସୂତ୍ର ଅନୁସାରେ ସେ ପଦାଧିକାରୀ ଭାବେ କାର୍ଯ୍ୟ କରିବେ, ହେଲେ ଟ୍ରଷ୍ଟର ସଦସ୍ୟ ହେବେନି। ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ନିଯୁକ୍ତି ଏବେ ଲମ୍ବିତ ରହିଛି। ସେ ମଧ୍ୟ ଟ୍ରଷ୍ଟର ସଦସ୍ୟ ନ ହୋଇ ପଦାଧିକାରୀ ଭାବେ କାର୍ଯ୍ୟ କରିବେ। କୃଷ୍ଣ ମୋହନ କହିଛନ୍ତି ଯେ ଟ୍ରଷ୍ଟର ଅଧିକାରୀକ ମୁଖପାତ୍ରଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି ଓ ଏନେଇ କେତେକ ନାମ ଉପରେ ବିଚାର କରାଯାଉଛି।

ପୁଣେର ବାସିନ୍ଦା ଅଫାଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଜଡିତ। ସେ ଆଇଆଇଟି ବମ୍ବେରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍ ଓ ଏମ.ଟେକ୍ ଡିଗ୍ରି ହାସଲ କରିଛନ୍ତି। ଅବସର ପରେ ଭାରତ ଫେରିବା ପୂର୍ବରୁ ସେ ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ବହୁଦେଶୀୟ କମ୍ପାନୀରେ କାମ କରିଛନ୍ତି। ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ଅଫାଲେଙ୍କୁ ସମ୍ମାନଜନକ ପ୍ରକଳ୍ପ ପ୍ରବନ୍ଧକ ଭାବେ ନିଯୁକ୍ତି କରାଯାଇଥିଲା। ସେବେଠାରୁ ସେ ଅଯୋଧ୍ୟା ତୀର୍ଥକ୍ଷେତ୍ର ଭବନରେ ରହି ଆସୁଛନ୍ତି।