ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଏହା ପୂର୍ବରୁ ବେଲଫାଷ୍ଟଠାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ନୂଆ ଅଧିନାୟକ ଶ୍ରେୟସ ଆୟର ଖେଳାଳିଙ୍କ ନଜରେ ଯୋଶ ଭରିଛନ୍ତି । ଆୟର ନିଜ ବାର୍ତ୍ତା ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ତାଙ୍କ କ୍ୟାପ୍ଟେନ୍ସିରେ ଟିମର ସବୁଠୁ ବଡ଼ ଫୋକସ୍ ଟିମ୍ କଲଚର୍, ସକାରାତ୍ମକ ମାହୋଲ ଏବଂ ବିଜୟୀ ମାନସିକତା ଉପରେ ରହିବ । ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆ ଆୟରଙ୍କ କ୍ୟାପ୍ଟେନ୍ସିରେ ପ୍ରଥମ ଟି-୨୦ ଖେଳିବାକୁ ଯାଉଛି ।

ଟ୍ରେନିଂ ବେଳେ ଖେଳାଳିଙ୍କୁ ସମ୍ୱୋଧିତ କରି ସେ କହିଛନ୍ତି, ଭାରତୀୟ ଟିମ୍ ପାଇଁ କ୍ୟାପ୍ଟେନ୍ସି କରିବା ଗର୍ବର ବିଷୟ । ଏହି ଟିମ୍ ପରିବାର ପରି ଅଟେ ଏବଂ ସମସ୍ତ ଖେଳାଳି ସବୁ ମୁକାବିଲାକୁ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବା ଦରକାର । ଆୟର ଖେଳାଳିଙ୍କ ଉତ୍ସାହ ବଢ଼ାଇ କହିଛନ୍ତି, ଆମେ ପ୍ରତିଟି ମ୍ୟାଚରେ କେବଳ ଜିତିବା ଲକ୍ଷ୍ୟ ନେଇ ନିଜର ସମ୍ପୂର୍ଣ୍ଣ କ୍ଷମତା ସହ ପଡ଼ିଆକୁ ଓହ୍ଲାଇବା । ଆମକୁ ସିଂହ ଭଳି ଦମଦାର ଖେଳ ପ୍ରଦର୍ଶନ କରିବାକୁ ହେବ । ନୂଆ ଅଧିନାୟକଙ୍କ ଏହି ବୟାନ ଖେଳାଳିଙ୍କ ମଧ୍ୟରେ ନୂଆ ଉର୍ଜା ଭରି ଦେଇଛି ।

ସେପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏକ ନୂଆ ଦିଗରେ ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତର ଟି-୨୦ ଦଳ

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଉଇକେଟ କିପର), ଇଶାନ କିଷାନ (ଉଇକେଟ କିପର), ବୈଭବ ସୂର୍ଯ୍ୟବଂଶୀ, ଶିବମ ଦୁବେ, ସୂର୍ଯ୍ୟାଂଶ ହେଗଡେ , ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ

ଭାରତ ବିପକ୍ଷ ସିରିଜ ପାଇଁ ଆୟରଲ୍ୟାଣ୍ଡର ଟି-୨୦ ଦଳ

ଲୋର୍କାନ ଟକର (ଅଧିନାୟକ), ରସ୍ ଆଡାୟର, ବେଞ୍ଜାମିନ୍ କାଲିଜ୍, ଗାରେଥ୍ ଡେଲାନି, ଜର୍ଜ ଡକରେଲ୍, ଷ୍ଟିଫେନ୍ ଡୋହେନି, ମାଥ୍ୟୁ ହମ୍ଫ୍ରେସ୍, ଗାଭିନ୍ ହୋଏ, ମାଥ୍ୟୁ ହୋଲାର୍ଡ, ଲିଆମ୍ ମ୍ୟାକର୍ଥି, ଜୟ ମୁନ୍ଦ୍ରା, ହ୍ୟାରି ଟେକ୍ଟର, ଟିମ୍ ଟେକ୍ଟର, ରୁବେନ୍ ୱିଲସନ୍ ।