ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ଶିବସେନା (UBT) ନେତା ସଞ୍ଜୟ ରାଉତ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଉଦ୍ଧବ ଠାକରେଙ୍କ ଦଳର ୬ ଜଣ ସାଂସଦ (MPs) ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଖବର ମଧ୍ୟରେ ସଞ୍ଜୟ ରାଉତ ବିବାଦୀୟ ବୟାନ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ, ‘ଏକନାଥ ସିନ୍ଦେ ଗର୍ଭବତୀ ଥିଲେ ଏବଂ ସେ ୬ ଜଣ ସାଂସଦଙ୍କୁ ଜନ୍ମ ଦେଇଛନ୍ତି।’ ଏହି ମନ୍ତବ୍ୟକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।

ସଞ୍ଜୟ ରାଉତ ସିନ୍ଦେଙ୍କ ସରକାରୀ ବାସଭବନ 'ନନ୍ଦନବନ'କୁ ଟାର୍ଗେଟ କରି କହିଛନ୍ତି ଯେ, ସାଂସଦମାନଙ୍କର ଆନୁଷ୍ଠାନିକ ଭାବରେ ଦଳରେ ସାମିଲ ହେବା ପୂର୍ବରୁ ସେଠାରେ ଏକତ୍ରୀତ ହେବା ଏକ ପ୍ରକାରର "ରାଜନୈତିକ ଡେଲିଭରି" ଥିଲା। ବିଗତ ୭ ଦିନ ମଧ୍ୟରେ ସଞ୍ଜୟ ରାଉତଙ୍କର ଏହା ଦ୍ଵିତୀୟ ବଡ଼ ବିବାଦୀୟ ବୟାନ। ଏହା ପୂର୍ବରୁ ସେ ଦଳ ବଦଳ କରୁଥିବା ନେତାମାନଙ୍କ ପାଇଁ ଅଶାଳୀନ ଭାଷାର ପ୍ରୟୋଗ କରି ଚର୍ଚ୍ଚାରେ ଥିଲେ। ରାଉତ ନିଜ ସଷ୍ଟୀକରଣରେ କହିଛନ୍ତି ଯେ, ଯେଉଁମାନେ ସମାଜ ଏବଂ ରାଜନୀତିରେ ଦଳ ସହ ପ୍ରତାରଣା ବା ବିଶ୍ଵାସଘାତକତା କରନ୍ତି, ସେମାନଙ୍କ ପାଇଁ ଏଭଳି କଡ଼ା ଭାଷାର ବ୍ୟବହାର କରିବା ଉଚିତ।

ଶିବସେନା (UBT)କୁ ବଡ଼ ଝଟକା

ସିନ୍ଦେ କ୍ୟାମ୍ପରେ ସାମିଲ ହେବାକୁ ଥିବା ୬ ଜଣ ସାଂସଦ ହେଉଛନ୍ତି:

୧. ସଞ୍ଜୟ ଦୀନା ପାଟିଲ

୨. ସଞ୍ଜୟ ଦେଶମୁଖ

୩. ସଞ୍ଜୟ ଯାଦବ

୪. ଭାଉସାହେବ ୱାକଚୌରେ

୫. ନାଗେଶ ପାଟିଲ ଅସ୍ତିକର

୬. ଓମପ୍ରକାଶ ରାଜେ ନିମ୍ବାଲକର

ଗତ ଜୁନ୍ ୧୭ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଶିବସେନା (UBT) ର ସଂସଦୀୟ ଦଳ ବୈଠକରେ ଏହି ୬ ଜଣ ସାଂସଦ ଅନୁପସ୍ଥିତ ଥିଲେ। ସେବେଠାରୁ ସେମାନେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସେମାନଙ୍କ ମଧ୍ୟରୁ ଧାରାଶିବର ସାଂସଦ ନିମ୍ବାଲକର ଏବଂ ହିଙ୍ଗୋଲିର ସାଂସଦ ଅସ୍ତିକର ସେମାନଙ୍କର ଦଳ ଛାଡ଼ିବା ନିଷ୍ପତ୍ତିକୁ ସ୍ପଷ୍ଟ କରିସାରିଛନ୍ତି।

ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା

ଏହି ସାଂସଦମାନଙ୍କ ଆଗମନକୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବେଶ୍ ଉତ୍ସାହର ସହ ସ୍ଵାଗତ କରିଛି। ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ କହିଛନ୍ତି ଯେ, ସାଂସଦମାନେ ଏକନାଥ ସିନ୍ଦେ ଏବଂ ଲୋକସଭା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ଵ ଏବଂ ସୁଶାସନରେ ଅନୁପ୍ରାଣିତ ହୋଇଛନ୍ତି। ସମସ୍ତ ସାଂସଦ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସେମାନେ ନିଜର ନିଷ୍ପତ୍ତି ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପୂର୍ବରୁ ହିଁ ଚିଠି ଲେଖି ଜଣାଇ ସାରିଛନ୍ତି।