ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ- ଆମେରିକା ଯୁଦ୍ଧ କାରଣରୁ ଅନେକ ଦେଶରେ ଶକ୍ତି ସଙ୍କଟ ଦେଖାଦେଇଛି। ଅବଶ୍ୟ ବୁଧବାର ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା ହୋଇଛି। ହେଲେ ଏହାରି ମଧ୍ୟରେ ଭାରତ ପାଇଁ ଆସିଛି ଖୁସି ଖବର। ୧୫, ୪୦୦ ଟନ୍ ଏଲପିଜି ନେଇ ଭାରତ ଆସିଛି ଜାହାଜ ‘ଗ୍ରୀନ ଆଶା’। ଗୁରୁବାର ଜାହାଜଟି ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦରରେ ପହଞ୍ଚିଛି।

ଏନେଇ ଜବାହାରଲାଲ ନେହେରୁ ପୋର୍ଟ ଅଥରିଟି (JNPA) ପକ୍ଷରୁ ସ୍ପଷ୍ଟ କରିଛି। ବନ୍ଦର ପକ୍ଷରୁ କୁହାଯାଇଛି, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଏହି ଜାହାଜ ହର୍ମୁଜ ପ୍ରଣାଳୀକୁ ସଫଳତାର ସହ ପାର୍ କରିଛି। ଜେଏନପିଏ ପକ୍ଷରୁ ‘ଗ୍ରୀନ ଆଶା’କୁ ସ୍ବାଗତ କରାଯାଇଛି। ଏବେ ଏହି ଜାହାଜ ଜେଏନପିଏର ଲିକ୍ବିଡ ବର୍ଥରେ ଲଙ୍ଗର ପକାଇଛି। ଏହି ବର୍ଥକୁ BPCL-IOCL ଦ୍ବାରା ଅପରେଟ କରାଯାଉଛି। ଗ୍ରୀନ ଆଶା ଜାହାଜ, ଏଥିରେ ଥିବା ସାମଗ୍ରୀ ଏବଂ ଚାଳକ ଦଳ ସବୁ ସଦସ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହା ଆସିବା ଦ୍ବାରା ସାମୁଦ୍ରିକ ପରିଚାଳନାର ସେହି କ୍ଷମତା ଦର୍ଶାଉଛି।

ଆହୁରି ମଧ୍ୟ କୁହାଯାଇଛି ଯେ, ଟ୍ୟାଙ୍କରର ଆଗମନ ଜଟିଳ ଭୂରାଜନୈତିକ ପରିସ୍ଥିତି ମଧ୍ୟରେ ସାମୁଦ୍ରିକ କାର୍ଯ୍ୟର କ୍ଷମତାକୁ ଦର୍ଶାଉଛି ଏବଂ ଦେଶକୁ ଅତ୍ୟାବଶ୍ୟକୀୟ ଏଲପିଜିର ସ୍ଥିର ଯୋଗାଣ ସୁନିଶ୍ଚିତ କରୁଛି।

Also Read: ହର୍ମୁଜ୍ ପ୍ରଣାଳୀର ପାଣି ତଳେ ମାଇନ୍ ବିଛାଇଛି ଇରାନ୍, ମ୍ୟାପ୍ ଦେଖି ଛାନିଆ ବିଶ୍ବ

ହର୍ମୁଜ ଅତିକ୍ରମ କରିଥିବା ୯ମ ଜାହାଜ

ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ 'ଗ୍ରୀନ ଆଶା' ହର୍ମୁଜ୍ ପ୍ରଣାଳୀ ପାର କରିବାରେ ନବମ ଭାରତୀୟ ପତାକାଧାରୀ ଜାହାଜ। ପୂର୍ବରୁ ୭ଟି ଏଲପିଜି ଟ୍ୟାଙ୍କର୍ ଏବଂ ଗୋଟିଏ ଅଶୋଧିତ ତୈଳ ଜାହାଜ ଭାରତରେ ପହଞ୍ଚିଥିଲା। ଏଗୁଡ଼ିକ ହେଲା ଶିବାଲିକ୍, ନନ୍ଦ ଦେବୀ, ଜଗ୍ ଲାଡକି, ପାଇନ୍ ଗ୍ୟାସ୍, ଜଗ୍ ବସନ୍ତ, BW Tyr, BW Elm ଏବଂ ଗ୍ରୀନ୍ ସାନଭି।