ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଗୁରୁବାର ଦେଖିବାକୁ ମିଳିଛି ହାହାକାର । ହଠାତ୍ ମାର୍କେଟ୍ କ୍ରାସ ଯୋଗୁ ନିବେଶକଙ୍କୁ ହରାଇବାକୁ ପଡ଼ିଛି ପ୍ରାୟ ୮ ଲକ୍ଷ କୋଟି ଟଙ୍କା । ଏହି କ୍ରାସ୍ ପଛରେ ଅଶୋଧିତ ତେଲ ଦାମ୍ ବୃଦ୍ଧି ଏକ ବଡ଼ କାରଣ ବୋଲି କୁହାଯାଉଥିବା ବେଳେ, ଆଉ କିଛି କାରଣକୁ ମଧ୍ୟ ଦାୟୀ କରିଛନ୍ତି ବିଶେଷଜ୍ଞ।

ରିପୋର୍ଟ ଅନୁସାରେ, ପ୍ରଥମେ ଗୁରୁବାର କାରବାର ଆରମ୍ଭରୁ ହିଁ ମାର୍କେଟ ନିମ୍ନମୁଖୀ ରହିଥିଲା । ଅବଶ୍ୟ ଏହାର ଗତି ମନ୍ଥର ରହିଥିଲା । ମାତ୍ର କିନ୍ତୁ ଦ୍ବିପ୍ରହର ବେଳକୁ ମାର୍କେଟରେ ସୃଷ୍ଟି ହୋଇଥିଲା ହଇଚଇ । ଦେଖୁ ଦେଖୁ ହଜାରେରୁ ଅଧିକ ପଏଣ୍ଟ ତଳକୁ ଖସି ଆସିଥିଲା । ଆଉ କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ୧,୦୪୫.୪୬ ପଏଣ୍ଟ ଖସି ୭୧, ୫୯୩.୨୪ରେ ବନ୍ଦ ହୋଇଥିବା ବେଳେ, ନିଫ୍ଟି ୫୦ ମଧ୍ୟ ୩୭୧.୨୫ ପଏଣ୍ଟ ହ୍ରାସ ପାଇ ୨୨,୨୩୧.୮୦ରେ ବନ୍ଦ ହୋଇଛି ।

ମାର୍କେଟ କ୍ରାସର ପ୍ରମୁଖ କାରଣ

ତେବେ ବଜାରରେ ଆସିଥିବା ଏହି ଭୂମିକମ୍ପ ପଛରେ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରର ଅନେକ ବଡ଼ କାରଣ ରହିଛି । ଯାହା ନିବେଶକଙ୍କ ମୁଡକୁ ବିଗାଡ଼ି ଦେଇଛି । ପ୍ରଥମତଃ ଅଶୋଧିତ ତେଲ ଦାମ୍ ବୃଦ୍ଧି । ବିଶ୍ବ ତୈଳ ବେଞ୍ଚମାର୍କ ବ୍ରେଣ୍ଟ୍ କ୍ରୁଡ୍ ଅଏଲ ଗୁରୁବାର ୨.୦୨ ପ୍ରତିଶତ ବଢ଼ି ବ୍ୟାରେଲ ପିଛା ମୂଲ୍ୟ ୧୦୨.୨ ଡଲାର ହୋଇଛି । ପାରସ୍ୟ ମହାସାଗର ଏବଂ ଷ୍ଟ୍ରେଟ ଅଫ୍ ହର୍ମୁଜରେ ମାଲବାହୀ ଜାହାଜ ଉପରେ ବଢ଼ୁଥିବା ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରୁ ଅଶୋଧିତ ତେଲ ଯୋଗାଣ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଲର ବଢ଼ୁଥିବା ଦାମ୍ ବଜାରରେ ପୁଣି ଦରବୃଦ୍ଧି ଭୟ ବଢ଼ାଇଛି।

Also Read: ବଢୁଛି ଅଶୋଦ୍ଧିତ ତୈଳ ଦର : ଆଜି କେଉଁ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ୍ ରେଟ୍ ?​​​​​​​

ଦ୍ବିତୀୟରେ ବିଦେଶୀ ସଂସ୍ଥାଗତ ନିବେଶକ (FII) ଲଗାତାର ଭାରତୀୟ ବଜାରରୁ ନିଜ ଟଙ୍କା କାଢ଼ୁଛନ୍ତି। ତଥ୍ୟ ଅନୁସାରେ, କେବଳ ବୁଧବାର କାରବାର ସମୟରେ ବିଦେଶୀ ନିବେଶକ ଇକ୍ବିଟି ମାର୍କେଟରୁ ୬,୧୦୦ କୋଟି ଟଙ୍କାରୁ ଅଧିକ ଶେୟାର ବିକ୍ରି କରିଛନ୍ତି । ଏହି ବଡ଼ ବିକ୍ରି ବଜାରର ଅଣ୍ଟା ଭାଙ୍ଗି ଦେଇଛି।

ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କର ଏମପିସି ବୈଠକରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦ ପ୍ରତିଶତ କରିଛି । ପ୍ରାୟ ୪ ବର୍ଷ ପରେ ପ୍ରଥମ ଥର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ବୃଦ୍ଧି ହୋଇଛି । କେବଳ ସେତିକି ନୁହେଁ ଆରବିଆଇ ନିଜର ମୁଦ୍ରାନୀତି ଆଭିମୁଖ୍ୟକୁ ‘ନିଉଟ୍ରାଲ’ରୁ ‘କ୍ୟାଲିବ୍ରେଟେଡ୍ ଟାଇଟେନିଂ’ କରିଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ଆଗାମୀ ସମୟରେ ସୁଧ ହାରରେ ହ୍ରାସ ସମ୍ଭାବନା ଖୁବ୍ କମ୍। ଆଉ ଏହି ସବୁ କାରଣ ଯୋଗୁ ଗୁରୁବାର ମାର୍କେଟରେ ବଡ଼ ହ୍ରାସ ହୋଇଥିବା ଅନୁମାନ କରିଛନ୍ତି ମାର୍କେଟ ଏକ୍ସପର୍ଟ ।