ନୂଆଦିଲ୍ଲୀ: ଏକ ଲଜ୍ଜାଜନକ ଘଟଣାକ୍ରମରେ ଭାରତୀୟ ହକି ଅମ୍ପାୟାର ତଥା ଟେକ୍ନିକାଲ ଅଫିସର ଗୁରିନ୍ଦର ସିଂହ ସାନ୍ଧାଙ୍କୁ ଏସିୟାନ ଗେମସ୍ ରେ କଥିତ ଯୌନ ଦୁର୍ବ୍ୟବହାର ଅଭିଯୋଗ ପରେ ଜାପାନରୁ ଫେରସ୍ତ ପଠାଇ ଦିଆଯାଇଛି। ହକି ଇଣ୍ଡିଆ ସୂତ୍ର ଅନୁସାରେ ସାନ୍ଧା ମାଲେସିୟାର ଜନୈକା ମହିଳା ହକି ଅଧିକାରୀ ଓ ହୋଟେଲ କର୍ମଚାରୀଙ୍କ ପ୍ରତି କଥିତ ଦୁର୍ବ୍ୟବହାର କରିଛନ୍ତି। ନାଗୋୟାରେ ଥିବା ଅଧିକାରୀ କହିଛନ୍ତି ଯେ ମାଲେସିୟାର ଜନୈକା ମହିଳା ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ମିଳିବା ପରେ ସାନ୍ଧାଙ୍କୁ ଫେରସ୍ତ ପଠାଇ ଦିଆଯାଇଛି। ଖେଳ ପରେ ହକି ଇଣ୍ଡିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ।

ଅଧିକାରୀ କହିଛନ୍ତି ଯେ ଏସିୟାଡ ହକି ମହାସଂଘରୁ ବିସ୍ତୃତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ କରାଯିବ। ଏଏଚଏଫ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ କଡା କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏସିୟାଡ କ୍ରିଡାରେ ଅମ୍ପାୟାର ଓ ଟେକ୍ନିକାଲ ଅଧିକାରୀଙ୍କ ନିଯୁକ୍ତି ଏଏଚଏଫ କରିଥାନ୍ତି। ଏହା ପୂର୍ବରୁ ସାନ୍ଧାଙ୍କ ବିରୋଧରେ ୨୦୨୫ରେ ରାଞ୍ଚୀ ହକି ଇଣ୍ଡିଆ ଲିଗ୍ କାଳରେ ଜଣେ ମହିଳା ଅମ୍ପାୟାର ଅଭିଯୋଗ କରିଥିଲେ। ସେତେବେଳେ ହକି ଇଣ୍ଡିଆର ୩ ସଦସୀୟ କମିଟି ମାମଲାର ଯାଞ୍ଚ କରିଥିଲେ। ତେବେ ହକି ଇଣ୍ଡିଆ ଅଧିକାରୀ କହିଥିଲେ କମିଟିକୁ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା।

ଭାରତୀୟ ଅଲିମ୍ପିକ୍ ସଂଘର ଜନୈକ ଅଧିକାରୀ କହିଛନ୍ତି ଯେ ମାମଲାର ଆଇଓଏ ଅଥବା ହକି ଇଣ୍ଡିଆର କୌଣସି ସମ୍ପର୍କ ନାହିଁ। କାରଣ ଏଏଚଏଫ ଅଧିକାରୀଙ୍କ ନିଯୁକ୍ତି କରିଥାନ୍ତି। ନାଗୋୟାରେ ଏଏଚଏଫ ଅଧିକାରୀମାନେ ଏହି ଘଟଣା ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି। ହକି ଇଣ୍ଡିଆ ଚଳିତବର୍ଷ ମହିଳା ଟିମ୍ ର ଜଣେ ସହଯୋଗୀ ଷ୍ଟାଫଙ୍କୁ ନିର୍ଯାତନା ଆରୋପରେ ହଟାଇ ଦେଇଥିଲେ।