ନୂଆଦିଲ୍ଲୀ: ପାର୍ବଣ ଋତୁରେ ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ତଥା ଦର ନିୟନ୍ତ୍ରିତ ରଖିବାକୁ କେନ୍ଦ୍ର ସରକାର ଡିଲରଙ୍କ ଲାଗି ନୂଆ ଚିନି ଷ୍ଟକ୍ ନିର୍ଦ୍ଧାରିତ କରିଛନ୍ତି। ନୂଆ ନିୟମ ଅନୁସାରେ ଅକ୍ଟୋବର ୧୫ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଦେଶର ଅଧିକାଂଶ ଅଞ୍ଚଳରେ ଜଣେ ଡିଲର ସର୍ବାଧିକ ୧୦୦୦ କ୍ୱିଣ୍ଟଲ ଚିନି ଷ୍ଟକ୍ ରଖି ପାରିବେ। ଏହା ସହିତ ଡିଲରଙ୍କୁ ୧୫ ଦିନରୁ ଅଧିକ ଷ୍ଟକ୍ ରଖିବାକୁ ଅନୁମତି ମିଳିବ ନାହିଁ। ତେବେ ସରକାର ପଶ୍ଚିମବଙ୍ଗ ଓ ଆସାମ ଲାଗି ଅଲଗା ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ସବୁ କ୍ଷେତ୍ରରେ ଜଣେ ଜଣେ ଡିଲର ୨ହଜାର କ୍ୱିଣ୍ଟଲ ଚିନି ଷ୍ଟକ୍ ରଖି ପାରିବେ।

ଏହି ଦୁଇ ରାଜ୍ୟର ସ୍ଥାନୀୟ ଆବଶ୍ୟକତା ଓ ଚିନି ଯୋଗାଣରେ ଲଜିଷ୍ଟିକ୍ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପାର୍ବଣ ସମୟରେ ଚିନିର ଚାହିଦା ସାଧାରଣ ଦିନ ଅପେକ୍ଷା ଅଧିକ ରହିଥାଏ। ଏଣୁ ଅଧିକ ମାତ୍ରାରେ ଚିନି ଷ୍ଟୋର ହେବା ଦ୍ୱାରା ବଜାରରେ କୁତ୍ରିମ ଅଭାବ ଓ ମୂଲ୍ୟ ବୃଦ୍ଧି ଆଶଙ୍କା ଥାଏ। ଏଣୁ ସରକାର ଷ୍ଟକ୍ ମାତ୍ରା ଓ ଅବଧି ସୀମିତ କରିବା ଦ୍ୱାରା ଚିନି ମିଲରୁ ପାଇକାରୀ ବିକ୍ରେତା ଓ ରିଟେଲ ବଜାରକୁ ନିୟମିତ ଯୋଗାଣ ସୁନିଶ୍ଚିତ କରିବାରେ ସହାୟତା ମିଳିବ।

ଗତ କିଛି ମାସ ହେଲା ସରକାର ଚିନି ଷ୍ଟକ୍ କରିବା ଉପରେ କଡ଼ା ନୀତି ଅବଲମ୍ବନ କରୁଛନ୍ତି। ଅଗଷ୍ଟରେ ଡିଲରଙ୍କ ଲାଗି ଷ୍ଟକ୍ ର ଅଧିକ ସୀମା ୪ ହଜାର କ୍ୱିଣ୍ଟଲ ଥିଲା ଓ ଚିନି ଷ୍ଟକ୍ ଶେଷ କରିବାକୁ ଅଧିକତମ ସମୟ ୧ ମାସ ଦିଆଯାଇଥିଲା। ସେପ୍ଟେମ୍ବର ୧୫ରେ ଏହି ସୀମାକୁ ହ୍ରାସ କରି ୨ ହଜାର କ୍ୱିଣ୍ଟଲ କରି ଦିଆଯାଇଥିଲା। ଏବେ ଅକ୍ଟୋବର ୧୫ରୁ ଏହି ସୀମାକୁ ହ୍ରାସ କରି ୧୦୦୦ କ୍ୱିଣ୍ଟାଲ କରାଯାଇଛି। ସରକାରଙ୍କ ଅନୁସାରେ ଅଗଷ୍ଟରେ ଚିନି ଦର ଉଚ୍ଚାଥିଲା। ଏହା ପରଠାରୁ ଏ ପର୍ଯ୍ୟନ୍ତ ଚିନିର ଖାଉଟି ଦରରେ ହାରାହାରି ୧୫% ହ୍ରାସ ହେଲାଣି। ସେହିପରି ଚିନି ମିଲରେ ଦର ୨୮% ହ୍ରାସ ହୋଇଛି।