ପୁରୀ ୨୧।୦୯ : ଅତୀତରେ ପାଣିରେ ବୁଡ଼ିଯିବାରୁ ଭାଇ ବଞ୍ଚାଇ ଦେଇଥିଲେ। ଆଜି ନିଜେ ସପରିବାର ପାଣିରେ ବୁଡି ଯିବା ସମୟରେ କେହି ବଞ୍ଚାଇ ପାରିଲେ ନାହିଁ। ପୁରୀ ସ୍ୱର୍ଗଦ୍ୱାର ଠାରେ, ମଧ୍ୟପ୍ରଦେଶ ନଲଖେଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିବ ପ୍ରସାଦଙ୍କ ଭାଇ ସର୍ବେଶ୍ୱର କିଛି ଏମିତି ଦୁଃଖଭରା କଥା କହିଛନ୍ତି ।

ଶିବ ଅତ୍ୟନ୍ତ ସାହସୀ ଓ ପହଁରାରେ ଥିଲେ ବିଚକ୍ଷଣ । ଏକଦା ସେ ନିଜ ଭାଇ ସର୍ବେଶ୍ୱରଙ୍କୁ ପାଣିରେ ବୁଡି ଯାଉଥିବା ବେଳେ ବଞ୍ଚାଇଥିଲେ । ହେଲେ ଆଜି ସେଇ ଭାଇ ପାଣିରେ ବୁଡି ମୃତ୍ୟୁ ହେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଭାଇ ସର୍ବେଶ୍ୱର । ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି ୭ ଜୁଇ ।ସୋମବାର ଭୋରରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶରେ ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ଶୋକାକୁଳ ପରିବେଶରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୭ ଜଣ ମୃତକଙ୍କ ପାଇଁ ମହାକାଳେଶ୍ଵର ଦର୍ଶନ ହେଲା ଶେଷ ଦର୍ଶନ। ଏବେ ସ୍ୱର୍ଗଦ୍ୱାରରେ ୭ ମରଶରୀରର ଜୁଇ ଜଳିଛି । ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ, ସମେତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ଭାଇ ଦିଲ୍ଲୀପ ବେହେରା । ଶିବପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୁଖାଗ୍ନି ଦେଇଛନ୍ତି।

Also Read:-ନିଜ ଜେଲରେ ନିଜେ ବନ୍ଦୀ, ଯେଉଁଠି ହାକିମାତି ଦେଖାଉଥିଲେ, ଏବେ ସେଠାରେ ରହିବେ…

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ । ମଧ୍ୟପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା । ସୂଚନା ଫଳକ ଓ ବ୍ୟାରିକେଡ଼ିଂ ବ୍ୟବସ୍ଥା ନଥିବା ଯୋଗୁ ଏ ଦୁର୍ଘଟଣା ଘଟିଲା ବୋଲି ସେ କହିବା ସହ ପ୍ରଶାସନକୁ ଦାୟୀ କରିଛନ୍ତି ।

Watch Video:-