ଉଦଳା: କେନାଲରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଝିଅର ମୃତଦେହ। ପାଖରେ ଥିବା ଘରୁ ମିଳିଲା ମାଆର ଶବ। ଏହି ଦୁଇ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ଦିବ୍ୟସିଂପୁର ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ଅନ୍ଵେଷା ହଷ୍ଟେଲ ନିକଟରେ ଥିବା କେନାଲରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ପାଖକୁ ଯିବାରୁ ନିକଟରେ ଥିବା ଏକ ଘରୁ ମଧ୍ୟ ଦୁର୍ଗନ୍ଧ ଆସିଥିଲା। ପରେ ଘରୁ ମଧ୍ୟ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

Also Read: ରାଜଧାନୀରେ ପୁଣି ଚାଞ୍ଚଲ୍ୟ , ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ

ମୃତକ ହେଲେ ସେହି ଭଙ୍ଗା ଦଦରା ଘରେ ରହୁଥିବା ଫୁଲମଣି ହେମ୍ବ୍ରମ ଏବଂ ତାଙ୍କର ଦିବ୍ୟାଙ୍ଗ ନାବାଳିକା ଝିଅ। ଘର ଭିତରେ ମଶାରୀ ଭିତରେ ଫୁଲମଣିଙ୍କ ମୃତଦେହ ପଡ଼ିଥିବା ବେଳେ ଘର ବାହାର କେନାଲରେ ପଡ଼ିଛି ଦିବ୍ୟାଙ୍ଗ ନାବାଳିକାର ମୃତଦେହ।

ଜଣାପଡ଼ିଛି ମୃତକ ଫୁଲମଣିଙ୍କର ପୂର୍ବରୁ ଜମିବାଡ଼ି ବିବାଦ ରହିଥିଲା। ଏହା ସହ ନିକଟରେ ଗ୍ରାମବାସୀଙ୍କ ସହ ତାଙ୍କର ବିବାଦ ହୋଇଥିଲା। ଆହୁରି ମଧ୍ୟ ଘର ଭିତର ଅସଜଡ଼ା ଅବସ୍ଥାରେ ପଡ଼ିଥିବାରୁ ଉଭୟଙ୍କୁ କେହି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।