ଭୁବନେଶ୍ଵର ୨୯।୫: ବରିଷ୍ଠ ସିନେ ସାମ୍ବାଦିକ, ଗାଳ୍ପିକ ତଥା କାହାଣୀକାର ପବିତ୍ର କୁମାର ଗୌଡ଼ଙ୍କ ପରଲୋକ । ଗୁରୁବାର ସନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ବର୍ଷ ବୟସ ହୋଇଥିଲା। ଫୁସ୍‌ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ହେବ ଡାକ୍ତରଖାନାରେ ଚକିତ୍ସାଧୀନ ଥିଲେ । ଗତ ୬ ଦିନ ହେବ ଡାକ୍ତରଖାନାରୁ ଘରକୁ ଫେରିଥିଲେ। ବୁଧବାର ଠାରୁ ଅଧିକ ଅସୁସ୍ଥ ଅନୁଭବ କରିବାରୁ ପରିବାର ସଦସ୍ୟ ତାଙ୍କୁ ଗୁରୁବାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣାର ଏକ ଡାକ୍ତରଖାନାକୁ ନେଇ ଯାଉଥିଲେ । ରାସ୍ତାରେ ଯିବା ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ତାଙ୍କ ଦେହାନ୍ତ ହୋଇଯାଇଛି। ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଞ୍ଜନଗର ସ୍ଥିତ ବୋରିବନ୍ଧ ନିଆଯାଇଥିଲା । ତାଙ୍କ ଶେଷ ସମୟରେ ପାଖରେ ପତ୍ନୀ, ୨ ପୁଅ, ୨ ଭାଇ, ଭାଉଜ, ଭାଇବୋହୂ ଉପସ୍ଥିତ ଥିଲେ। ଗାଁରେ ବାପା, ମା', ପୁତୁରା, ଝିଆରୀ ଓ ଅନ୍ୟ ପରିବାର ସଦସ୍ୟ ରହିଛନ୍ତି।

ସ୍ବର୍ଗତ ଗୌଡ଼ ସିନେ ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ। ଦୀର୍ଘବର୍ଷ ଧରି ସାମ୍ବାଦିକତା କରି ଆସୁ ଥିଲେ। ‘ଖବର’, ‘ନିତିଦିନି’ ଖବରକାଗଜ ସହ ‘ସିନେସମ୍ବାଦ’ ଓ ବିଭିନ୍ନ ପତ୍ରପତ୍ରିକା, ପ୍ରକାଶନୀ ସଂସ୍ଥାରେ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ଲାଭ କରିଥିଲେ । ନିର୍ଭୁଲ ଡିଟିପି ପାଇଁ ସେ ଅଧିକାଂଶ ଲେଖକଙ୍କର ପ୍ରିୟଭାଜନ ହୋଇପାରିଥିଲେ। ସମ୍ପ୍ରତି ‘ପ୍ରମେୟ’ର ଫିଚର୍ ବିଭାଗରେ ସହ ସମ୍ପାଦକ ଭାବେ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଏହା ବ୍ୟତୀତ ଜଣେ ଗାଳ୍ପିକ ଓ କାହାଣୀକାର ଭାବେ ନିଜ ଚମତ୍କାର ଲେଖା ପାଇଁ ସେ ପାଠକ ମହଲରେ ଲୋକପ୍ରିୟ ହୋଇପାରିଥିଲେ ।

Also Read:- ଖାଡ଼ା ଉପାସରେ କୁଷ୍ଠାଶ୍ରମ ଅନ୍ତେବାସୀ, ଅଧିକ୍ଷକଙ୍କ ଅଫିସ୍ ଆଗରେ ଧାରଣା ; ଖାଦ୍ୟ ଯୋଗାଣକାରୀ SHGର କୋଟିଏ ବାକି

‘ପାୱାର୍‌କଟ୍ ଓ ପିଲାଦିନ' ଥିଲା ତାଙ୍କର ପ୍ରଥମ ଗପ ବହି। ଯାହା ଟାଇମ୍‌ପାସ୍‌ ପ୍ରଥମା ପୁରସ୍କାର ପାଇଥିଲା। ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ଦ୍ବାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନୁଭବ’ର ସେ ଥିଲେ କାହାଣୀକାର। ତାଙ୍କର ଏକ ଗଳ୍ପରୁ ଏହି ସିନେମାର କାହାଣୀ ନିର୍ମାଣ ହୋଇଥିଲା। ଆଜି ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ, ‘ପ୍ରମେୟ’ ଓ ‘ନ୍ୟୁଜ୍ -୭’ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ ଓ ଅନ୍ୟ ସହକର୍ମୀମାନେ ଗଭୀର ଶୋକବ୍ୟକ୍ତ ସହ ଅମର ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।