ନୂଆଦିଲ୍ଲୀ: ୨୦୨୮-୨୯ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ର ଅସ୍ଥାୟୀ ସଦସ୍ୟ ପଦ ପାଇଁ ଭାରତ ନିଜର ଆନୁଷ୍ଠାନିକ ଅଭିଯାନ ଆରମ୍ଭ କରିଛି। ଜୁନ୍ ୨୦୨୭ ରେ ହେବାକୁ ଥିବା ଏହି ନିର୍ବାଚନରେ ବିଜୟୀ ହେବା ଭାରତର ଲକ୍ଷ୍ୟ । କିନ୍ତୁ ଭବିଷ୍ୟତରେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ହାସଲ କରିବା ନୂଆଦିଲ୍ଲୀର ମୁଖ୍ୟ ଉଦ୍ଦେଶ୍ୟ । ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । 

ଏହି ଅବସରରେ ଭାରତ ଏହାର ମାର୍ଗଦର୍ଶିକା ଢାଞ୍ଚା 'SHANTI' (Securing Holistic Advancement through Norms, Trust, Integrity)କୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଏବଂ ବରିଷ୍ଠ ଜାତିସଂଘ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି।   ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ଭାରତ ଏହି ଅଭିଯାନ ଆରମ୍ଭ କରିଛି । ପୂର୍ବ ନିର୍ବାଚନ ଗୁଡ଼ିକ ଭଳି ଏଥର ଭାରତକୁ ସହଜରେ ସହମତି ମିଳିବାର ସମ୍ଭାବନା କମ୍। ଏସିଆ-ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ଏକମାତ୍ର ଆସନ ପାଇଁ ଭାରତ ଏବଂ ତାଜିକିସ୍ତାନ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ।  

ୟୁକ୍ରେନ ଯୁଦ୍ଧ, ଗାଜା ସଂଘର୍ଷ ଏବଂ ଇରାନ ବିରୋଧରେ ଆମେରିକା-ଇସ୍ରାଏଲ୍‌ର ଯୁଦ୍ଧ ଯୋଗୁଁ ବିଶ୍ୱ ସ୍ତରୀୟ ମେଣ୍ଟ ଓ ପ୍ରାଥମିକତା ବଦଳିବାରେ ଲାଗିଛି। ଜାତିସଂଘ ନିର୍ବାଚନରେ ଆଜିକାଲି କୌଣସି ପ୍ରଭାବଶାଳୀ ଦେଶ ମଧ୍ୟ ବିଜୟକୁ ସହଜ ମନେ କରିପାରିବେ ନାହିଁ। ତେଣୁ ସମର୍ଥନ ଜୁଟାଇବା ପାଇଁ ଭାରତ ବହୁ ପୂର୍ବରୁ ନିଜର ପ୍ରୟାସ ଆରମ୍ଭ କରିଛି। ଭାରତ ଏହି ଅସ୍ଥାୟୀ ସଦସ୍ୟତା ମାଧ୍ୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ବିକାଶଶୀଳ ଦେଶ ଗୁଡ଼ିକର ସମସ୍ୟା ଓ ସ୍ୱରକୁ ବିଶ୍ୱ ଦରବାରରେ ଦୃଢ଼ ଭାବେ ଉପସ୍ଥାପନ କରିବା, ମିଳିତ ଜାତିସଂଘ ଢାଞ୍ଚାରେ ସଂସ୍କାର ଆଣିବା  ଏବଂ ଶାନ୍ତି ରକ୍ଷା କାର୍ଯ୍ୟକ୍ରମକୁ ଅଧିକ ଦୃଢ଼ କରିବା ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ନିୟମ ପ୍ରଣୟନ କରିବା ଭଳି ବଡ଼ ଲକ୍ଷ୍ୟ ରଖିଛି ଭାରତ।

ସେପଟେ ଭାରତ ପୂର୍ବରୁ ଆଠ ଥର (ଶେଷ ଥର ପାଇଁ ୨୦୨୧-୨୨ ରେ) ୟୁଏନ୍‌ଏସସି ର ଅସ୍ଥାୟୀ ସଦସ୍ୟ ଭାବରେ ଦାୟିତ୍ୱ ତୁଲାଇ ସାରିଛି। କିନ୍ତୁ ଚଳିତ ଥର ତାଜିକିସ୍ତାନ ବିରୋଧରେ ଭାରତର ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେବ । ତାଜିକିସ୍ତାନକୁ ଇସଲାମୀୟ ସହଯୋଗ ସଂଗଠନ (OIC) ର ସମର୍ଥନ ମିଳିଥିବା ରିପୋର୍ଟ ପ୍ରକାଶ ପାଇଛି। ଜାତିସଂଘ ସାଧାରଣ ସଭାରେ ଓଆଇସି ର ଏକ ବଡ଼ ଭୋଟ୍ ବ୍ୟାଙ୍କ ରହିଛି, ଯେଉଁଥିରେ ପ୍ରାୟ ୫୭ଟି ମୁସଲିମ-ବହୁଳ ଦେଶ ଅଛନ୍ତି। ଏହି ସଂଗଠନର ସମର୍ଥନ କାରଣରୁ ମଧ୍ୟପ୍ରାଚ୍ୟ, ଆରବ ଏବଂ ଆଫ୍ରିକୀୟ ଦେଶ ଗୁଡ଼ିକର ଭୋଟ୍ ତାଜିକିସ୍ତାନ ସପକ୍ଷରେ ଯାଇପାରେ, ଯାହା ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ।

UNSCର ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହେବା ପାଇଁ ଭାରତକୁ ଜାତିସଂଘ ସାଧାରଣ ସଭା (UNGA) ର ୧୯୩ଟି ସଦସ୍ୟ ଦେଶ ମଧ୍ୟରୁ ଅତିକମରେ ଦୁଇ-ତୃତୀୟାଂଶ (୧୨୯ ଭୋଟ୍)  ସମର୍ଥନ ହାସଲ କରିବାକୁ ହେବ। ଯେହେତୁ ପ୍ରତ୍ୟେକ ଛୋଟ-ବଡ଼ ଦେଶର ଭୋଟ୍ ମୂଲ୍ୟ ସମାନ, ତେଣୁ କେବଳ ଆମେରିକା ବା ପାଶ୍ଚାତ୍ୟ ଦେଶ ଗୁଡ଼ିକର ସମର୍ଥନ ଯଥେଷ୍ଟ ନୁହେଁ। ଭାରତକୁ ଆଫ୍ରିକା, ଲାଟିନ ଆମେରିକା ଓ କାରିବିଆନ୍ ଦ୍ୱୀପପୁଞ୍ଜର ଛୋଟ ଦେଶ ଗୁଡ଼ିକୁ ମଧ୍ୟ ନିଜ ସପକ୍ଷକୁ ଆଣିବାକୁ ପଡ଼ିବ।

ସେପଟେ ପାକିସ୍ତାନ ସର୍ବଦା ଜାତିସଂଘ ଭଳି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରାର୍ଥିତ୍ୱ ଏବଂ ସୁରକ୍ଷା ପରିଷଦର ସଂସ୍କାରକୁ ବିରୋଧ କରିଆସିଛି। ପାକିସ୍ତାନ ଏବେ ନିଜେ UNSC ର ସଦସ୍ୟ ଥିବାରୁ ଏବଂ ଆମେରିକାର ନୂଆ ପ୍ରଶାସନ ସହ ତାର କୂଟନୈତିକ ଯୋଗାଯୋଗ ବୃଦ୍ଧି ପାଇଥିବାରୁ, ସେ ଭାରତ ବିରୋଧରେ ମୁସଲିମ ଏବଂ ଅନ୍ୟାନ୍ୟ ଦେଶ ଗୁଡ଼ିକୁ ଏକଜୁଟ୍ କରିବାକୁ ଚେଷ୍ଟା କରିପାରେ। ପୂର୍ବରୁ ବହୁ ନିର୍ବାଚନରେ ଭାରତ ନିଜର ଆଞ୍ଚଳିକ ଗୋଷ୍ଠୀ ମଧ୍ୟରେ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ହେଉଥିଲା, ଫଳରେ ନିର୍ବାଚନ ଜିତିବା ସହଜ ହେଉଥିଲା। କିନ୍ତୁ ଏଥର ତାଜିକିସ୍ତାନ ମୈଦାନରେ ଥିବାରୁ କୌଣସି ପାରଷ୍ପରିକ ସହମତି ହୋଇନାହିଁ, ଯାହା ଏହି ପ୍ରତିଯୋଗିତାକୁ ଅଧିକ ଜଟିଳ ଏବଂ ସଂଘର୍ଷପୂର୍ଣ୍ଣ କରିବ।