କେନ୍ଦ୍ରାପଡ଼ା ୨୪।୦୯ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ୨ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର । ଧସିଲା ବାଲି ପାହାଡ଼, ଉପୁଡିଲା ଗଛ, ଜମିରେ ମାଡିଗଲା ବାଲିଚର । ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ଉଠୁଛି ଉଚ୍ଚ ଜୁଆର । ରାଜନଗରରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପୂର୍ବରୁ ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଏବେ ସାତଭାୟାର ବାଲି ପାହାଡ଼କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି । ଫଳରେ ସମୁଦ୍ର କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସେପଟେ ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ରାମତରା ମୀରା ସି-ବିଚ୍ ରେ ବାଲି ବସ୍ତା ଭାଙ୍ଗି ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଗତବର୍ଷ ମଧ୍ୟ ଠିକ୍ ଏହି ସ୍ଥାନରେ ଘାଇ ହୋଇଥିଲା ଏବଂ ଏବେ ପୁଣିଥରେ ବାଲି ବସ୍ତା ଭସାଇ ନେଇଛି । ଏହି ଘାଇ ଦେଇ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ଚାଷ ଜମିରେ ପଶିଯାଇଛି । ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଯାଇଛି। ସମୁଦ୍ରର ଉଗ୍ର ରୂପ ଦେଖି ସ୍ଥାନୀୟ ଗ୍ରାମବାସୀ ଛାନିଆ ହୋଇଯାଇଛନ୍ତି ।

Also Read:-ବିଧାନସଭାରେ ଚାଲିଥିଲା ପ୍ରଶ୍ନକାଳ, ବିରୋଧୀଙ୍କ ଆଚରଣ ଦେଖି ରାଗିଗଲେ ରାଜସ୍ୱ ମନ୍ତ୍ରୀ