ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଏବଂ ଡାଇରିଆ ଆତଙ୍କ ଦେଖା ଦେଇଛି। ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କ୍ରବ୍ ଟାଇଫସକୁ ନେଇ ସାଧାରଣ ଜନତା ଆତଙ୍କିତ ନ ହେବାକୁ ସେ ଆଶ୍ୱାସନା ଦେବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଏଲିସା (ELISA) ଟେଷ୍ଟ ବିନା ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନିଶ୍ଚିତ କରାଯାଇପାରିବ ନାହିଁ। ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା କୌଣସି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇନାହିଁ। ସୁନ୍ଦରଗଡ଼ରୁ ଆସିଥିବା ଅଭିଯୋଗଗୁଡ଼ିକ ପୁରୁଣା ମାମଲା ହୋଇଥାଇପାରେ, ଯାହାର ପୁନଃ ତର୍ଜମା କରାଯାଉଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡ଼ା ଗସ୍ତ କରିଛନ୍ତି। ସମ୍ପୂର୍ଣ୍ଣ ସ୍ଥିତି ଉପରେ ବିଭାଗୀୟ ସ୍ତରରେ ସାପ୍ତାହିକ ନଜର ରଖାଯାଉଥିବା ବେଳେ ମନ୍ତ୍ରୀ ନିଜେ ମଧ୍ୟ ଏହାର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି।

Also Read: ଜଣ୍ଡିସ୍ ଭୟରେ ହଷ୍ଟେଲ ଖାଲି, ଘରକୁ ଫେରିଲେ ୬୦ ଛାତ୍ରୀ

ରାୟଗଡ଼ାରେ ଡାଇରିଆ ସ୍ଥିତି

ଅନ୍ୟପଟେ ରାୟଗଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ବ୍ୟାପିବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ହୋଇଛି। ଏକ ସ୍ୱତନ୍ତ୍ର ମନିଟରିଂ ଟିମ୍ ଦ୍ୱାରା ଅଞ୍ଚଳର ସ୍ଥିତି ଉପରେ ନଜର ରଖାଯାଇଛି। ଡାଇରିଆର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳ ଓ ଖାଦ୍ୟ ହୋଇଥିବାରୁ, ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଆବଶ୍ୟକୀୟ ଔଷଧ ସହ ଚିକିତ୍ସା ସେବା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ସନ୍ଦେହଜନକ ଖାଦ୍ୟ ବିକ୍ରି କିମ୍ବା ବ୍ୟବହାର ରୋକିବା ପାଇଁ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି।