ନୂଆଦିଲ୍ଲୀ: ବାସପୋଯୋଗୀ ହେବା ପାଇଁ ପୃଥିବୀକୁ କୋଟି କୋଟି ବର୍ଷ ସମୟ ଲାଗିଥିଲା। ଏହି ସମୟରେ ପୃଥିବୀ ପୃଷ୍ଠରେ ସଂଗଠିତ ହୋଇଥିଲା ଅନେକ ପ୍ରାକୃତିକ ବିପର୍ଯ୍ୟୟ। ଯାହାଦ୍ବାରା ପୃଥିବୀର ଭୂଭାଗରେ ହୋଇଥିଲା ଅନେକ ପରିବର୍ତ୍ତନ। ଆଜି ଯେଉଁ ସବୁ ବିଶାଳ ପର୍ବତ, ପାହାଡ଼ ଆମେ ଦେଖୁଛେ ଏସବୁ ତାହାର ହିଁ ପରିଣାମ। କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ କୋଟି କୋଟି ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପରିବର୍ତ୍ତନରେ ଟେକଟୋନିକ ପ୍ଲେଟ ବା ପୃଥିବୀର ଅନ୍ତରୀଣ ସ୍ତର ମଧ୍ୟ ବଡ଼ ଭୂମିକା ରହିଥିଲା। ଟେକଟୋନିକ ପ୍ଲେଟ ଯୋଗୁ ପ୍ରାଚୀନ ଭୂଭାଗରେ ଅନେକ ପରିବର୍ତ୍ତନ ହୋଇଥିଲା।

ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରାୟ ସାଢ଼େ ୩୦୦ କୋଟି ବର୍ଷ ପୂର୍ବେ ପୃଥିବୀର ଟେକଟୋନିକ ପ୍ଲେଟ ଘୂର୍ଣ୍ଣନ ଆରମ୍ଭ ହୋଇଥିଲା। ଆଉ ଏହି ଆବିଷ୍କାର ବୈଜ୍ଞାନିକଙ୍କୁ ଆଜିର ପୃଥିବୀର ଜୀବସତ୍ତାକୁ ଜାଣିବାରେ ଖୁବ୍ ସହାୟକ ହେବ।

ହାଭାର୍ଡ ବିଶ୍ବବିଦ୍ୟାଳୟର ଗବେଷକ କରିଥିଲେ ରିସର୍ଚ୍ଚ

ହାଭାର୍ଡ ବିଶ୍ବବିଦ୍ୟାଳୟର ଏକ ଟିମ୍ ପଶ୍ଚିମ ଅଷ୍ଟ୍ରେଲିଆରେ ପ୍ରାଚୀନ ପଥର ଉପରେ ଦୀର୍ଘ ବର୍ଷ ଧରି ଗବେଷଣା କରିବା କରିଥିଲେ। ଯାହା ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ମାର୍ଚ୍ଚ ୧୯ ତାରିଖରେ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏହି ନିଷ୍କର୍ଷ ପ୍ରକାଶିତ ହୋଇଛି। ତେବେ ବୈଜ୍ଞାନିକଙ୍କ ଏହି ଖୋଜ ଏପର୍ଯ୍ୟନ୍ତ ଟେକଟୋନିକ ପ୍ଲେଟ୍ ବିଷୟରେ ଜଣାଥିବା ତଥ୍ୟକୁ ପଛରେ ପକାଇଛି ଏବଂ ଭୂତତ୍ତ୍ବର ସବୁଠାରୁ ବଡ଼ ଅସମାହିତ ପ୍ରଶ୍ନ ମଧ୍ୟରୁ ଗୋଟିଏ ଉପରେ ଆଲୋକପାତ କରିଛି।

Also Read: World's Oldest Gold Found: ୬,୫୦୦ ବର୍ଷ ପୁରୁଣା କବରରୁ ମିଳିଲା ଦେଢ଼ କିଲୋର ସୁନା! ବୈଜ୍ଞାନିକ ଆଶ୍ଚର୍ଯ୍ୟ

ପଥରରୁ କଣ ମିଳିଲା?

ଗବେଷକମାନେ ପଶ୍ଚିମ ଅଷ୍ଟ୍ରେଲିଆର ପିଲବାରା କ୍ରାଟନ (ମହାଦ୍ବୀପର ଏକ ପୁରାତନ ସ୍ଥାନ)ର ଉତ୍ତର ପୋଲ ଡୋମ୍ ନାମକ ଏକ ଅଞ୍ଚଳର ୧୦୦ରୁ ଅଧିକ ସ୍ଥାନରୁ ୯୦୦ରୁ ଅଧିକ ପଥରର ସାମ୍ପୁଲକୁ ଅଧ୍ୟୟନ କରିଛନ୍ତି। ପିଲବାରା କ୍ରାଟନ ପୃଥିବୀର ସବୁଠାରୁ ପୁରୁଣା ଏବଂ ସର୍ବୋତ୍ତମ ସଂରକ୍ଷିତ ପଥର ଗଠନ ମଧ୍ୟରୁ ଗୋଟିଏ।

ପ୍ରାଚୀନ ଖଣିଜ ପଦାର୍ଥ ଭିତରେ ଥିବା ଜୀବାଶ୍ମ ଚୁମ୍ବକୀୟ ସଙ୍କେତଗୁଡ଼ିକୁ ପଢ଼ିବା ପାଇଁ ବୈଜ୍ଞାନିକଙ୍କ ଟିମ୍ କୌଶଳ ପାଲିଓମାଗ୍ନେଟିଜିମ୍ ବ୍ୟବହାର କରିଥିଲେ। ପଥରଗୁଡ଼ିକ ପ୍ରଥମେ ତିଆରି ହେବା ସମୟରେ ବିଶ୍ୱରେ କେଉଁଠାରେ ଥିଲେ ତାହା ଟ୍ରାକ୍ କରାଯାଇଥିଲା। ଏହାକୁ ପ୍ରାକ୍ ଐତିହାସିକ ଜିପିଏସ ୟୁନିଟ୍ ଭାବରେ ବ୍ୟବହାର କରାଯାଇଥିଲା।

ଅପ୍ରତ୍ୟାଶିତ ଥିଲା ଫଳାଫଳ

ହାଭାର୍ଡରେ ଗବେଷଣା କରିଥିବା ମୁଖ୍ୟ ଲେଖକ ଆଲେକ ବ୍ରେନର କହିଛନ୍ତି, ‘ଏହାର ଉତ୍ପତ୍ତିର ସମୟକୁ ନେଇ ଅନେକ ଭିନ୍ନ ସମୟ କୁହାଯାଇଛି। ଏହି ଅଧ୍ୟୟନରୁ ଆମେ କହିପାରିବା ଯେ, ସାଢ଼େ ତିନି ବିଲୟନ ବର୍ଷ ତଳେ ପୃଥିବୀ ପୃଷ୍ଠରେ ଟେକଟୋନିକ ପ୍ଲେଟ ଘୂରୁଥିଲା।’’

ପୃଥିବୀ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଟେକଟୋନିକ ପ୍ଲେଟ୍ କେବଳ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ସହ ଜଡ଼ିତ ନୁହେଁ। ଏହା ସେହି ପରିସ୍ଥିତି ସହ ମଧ୍ୟ ଗଭୀରତାର ସହ ଜଡ଼ିତ ଯାହା ଜୀବନକୁ ସମ୍ଭବ କରିପାରିଛି। କାରଣ ଏହି ଗତିବିଧି ହିଁ ମହାଦ୍ବୀପକୁ ଆକାର ଦେଇଛି, ଜଳବାୟୁକୁ ନିୟନ୍ତ୍ରିତ କରିଛି ଏବଂ ଜୀବ ଜଗତ ପାଇଁ ଆବଶ୍ୟକ ପୋଷଣ ତତ୍ତ୍ବର ପୁନଃଚକ୍ରଣକୁ ସଞ୍ଚାଳିତ କରିଛି।

ହାଭାର୍ଡ ବିଶ୍ବବିଦ୍ୟାଳୟରେ ପୃଥିବୀ ଏବଂ ଗ୍ରହ ବିଜ୍ଞାନର ପ୍ରୋଫେସର ଏବଂ ଏହି ଗବେଷଣାର ବରିଷ୍ଠ ଲେଖକ ରୋଜର ଫୁ କହିଛନ୍ତି ‘ପୃଥିବୀର ପ୍ରାୟ ସବୁ ଅନନ୍ୟ ବିଶେଷତ୍ବ କୌଣସି ନା’ କୌଣସି ଭାବରେ ଟେକଟୋନିକ ପ୍ଲେଟ ସହ ଜଡ଼ିତ। ଲଗାତାର ଭାବରେ ଟେକଟୋନିକ ପ୍ଲେଟ ଗୁଡ଼ିକର ଘୂର୍ଣ୍ଣନ ଯୋଗୁ ଏଭଳି ଏକ ସମୟ ଆସିଲା ଯେତେବେଳେ ପୃଥିବୀ ସୌର ମଣ୍ଡଳର ଏକ ସାମାନ୍ୟ ଗ୍ରହ ଠାରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଗ୍ରହରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରବଳ ସମ୍ଭାବନା ରହିଛି ଯେ, ଟେକଟୋନିକ୍ ପ୍ଲେଟ ହିଁ ପୃଥିବୀକୁ ଏହି ପଥରେ ଅଗ୍ରସର କରିଥିଲା।’’

Also Read: India vs China Economy: ଚୀନ୍ ଭଳି ନୁହେଁ ଭାରତ: ବିଶ୍ୱ ପାଇଁ ଭାରତର ସ୍ଥିତି ଅଧିକ ସହଜ ଓ ଉଦାହରଣୀୟ କହିଲେ ଫରିଦ୍ ଜାକାରିଆ

ଚୁମ୍ବକୀୟ କ୍ଷେତ୍ରର ମଧ୍ୟ ରହସ୍ୟ ଉନ୍ନୋଚନ କରିଛନ୍ତି ଗବେଷକ

ଗବେଷକ ଦଳ ଭୂ- ଚୂମ୍ବକୀୟ କ୍ଷେତ୍ରକୁ ନେଇ ମଧ୍ୟ ଏକ ପୁରୁଣା ଘଟଣା ମଧ୍ୟ ଉନ୍ମୋଚନ କରିଛନ୍ତି। ଏହା ଏକ ଏଭଳି ଘଟଣା ଯେଉଁଠାରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଓଲଟିଯାଏ। ଫଳରେ କମ୍ପାସ ଉତ୍ତର ଦିଗ ବଦଳରେ ଦକ୍ଷିଣ ଦିଗକୁ ଚିହ୍ନିତ କରିଥାଏ। ଏମିତିରେ ଏହି ସନ୍ଧାନରୁ ଜଣାପଡ଼ିଛି ଯେ ଏହି ଘଟଣାଗୁଡ଼ିକ ଆଜି ଅପେକ୍ଷା ପୃଥିବୀର ପ୍ରାରମ୍ଭିକ ଇତିହାସରେ କମ୍ ଥର ଘଟିଛି।

ବ୍ରେନର କହିଛନ୍ତି, ହଜାର ହଜାର କୋରକୁ ଡିମ୍ୟାଗ୍ନେଟିଜ ହେବାକୁ ବର୍ଷ ବର୍ଷ ସମୟ ଲାଗିଥାଏ। ଅର୍ଥାତ ଏହି ପଥରକୁ ଏଭଳି ହେବାକୁ ହଜାର ହଜାର ବର୍ଷ ଲାଗିଥିବ। ତେଣୁ ଏହା କହିବା ସତରେ କଠିନ ଯେ, ପଥର ଗୁଡ଼ିକ କେତେ ପୁରୁଣା। ଫଳାଫଳ ଆମର ସ୍ୱପ୍ନର ବାହାରେ ଥିଲା।’’