ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର (୨୫ ମେ’) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ହ୍ରାସ କରାଯାଏ, ତେବେ ଦେଶର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର  ରାଜସ୍ୱ କ୍ଷତି ହେବ। ଏହାସହ ଦେଶର ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ବିଶ୍ୱାସ ସୃଷ୍ଟି କରିବା ଉପରେ ଜୋର ଦେଇ ସେ କହିଛନ୍ତି ଯେ, ଭାରତ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ନକାରାତ୍ମକ କିମ୍ବା ଭୟର ବାତାବରଣ ସହ୍ୟ କରିପାରିବ ନାହିଁ।

ଅର୍ଥମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଦେଶରେ ଇନ୍ଧନ ଦର ପୁଣି ଥରେ ବୃଦ୍ଧି ପାଇଛି। ବିଗତ ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ସୋମବାର ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨.୭୧ ଟଙ୍କା ମହଙ୍ଗା ହୋଇଛି । ଏହି ଦର ବୃଦ୍ଧି ସାଧାରଣ ପରିବାରର ବଜେଟ୍ ଏବଂ ପରିବହନ ଖର୍ଚ୍ଚ ଉପରେ ଚାପ ବଢ଼ାଇ ଦେଇଛି।

‘ନାଗରିକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ଜରୁରୀ’
ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (SIDBI)ର ୩୭ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀତାରମଣ ନିଜର ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଦୋହରାଇ ସେ ଦେଶରେ ସୃଷ୍ଟି କରାଯାଉଥିବା ନିରାଶାଜନକ ପରିସ୍ଥିତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଶବ୍ଦ ଏବଂ କାର୍ଯ୍ୟ ଉଭୟ ମାଧ୍ୟମରେ ନାଗରିକଙ୍କ ମଧ୍ୟରେ ଭରସା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

୩ F’ ଉପରେ ଗୁରୁତ୍ବ
ମଧ୍ୟପ୍ରାଚ୍ୟ (Middle East) ସଙ୍କଟକୁ ପ୍ରାୟ ତିନି ମାସ ପୂରିବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ବିଶେଷ କରି ୩ଟି F ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି-

ଫ୍ୟୁଲ୍ (Fuel - ଇନ୍ଧନ)

ଫର୍ଟିଲାଇଜର୍ (Fertilizer - ସାର)

ଫରେକ୍ସ (Forex - ବୈଦେଶିକ ମୁଦ୍ରା ଭଣ୍ଡାର)

ବିଶ୍ୱସ୍ତରୀୟ ଅନିଶ୍ଚିତତା ଏବଂ ଚାପ ସତ୍ତ୍ୱେ ଭାରତୀୟ ଅର୍ଥନୀତି ସୁଦୃଢ଼ ସ୍ଥିତିରେ ରହିଛି। ଅନ୍ତର୍ଜାତୀୟ ସ୍ତରରେ ସାରର ମୂଲ୍ୟ ଆଶାତୀତ ଭାବରେ ବୃଦ୍ଧି ପାଇଛି ଏବଂ ସୁନାର ଉଚ୍ଚ ମୂଲ୍ୟ  ବଜାରରେ ଆହ୍ୱାନ ସୃଷ୍ଟି କରୁଛି, କିନ୍ତୁ ଭାରତ ଏହାର ସଫଳ ମୁକାବିଲା କରୁଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।