ନୂଆଦିଲ୍ଲୀ:  ଭାରତୀୟ ପରିବାରଙ୍କ ଉପରେ ମୂଲ୍ୟ ବୃଦ୍ଧି ବୋଝ ଲଗାତାର ବଢିବାରେ ଲାଗିଛି। ପନିପରିବା, ଖାଦ୍ୟ ତୈଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପୂର୍ବରୁ ରୋଷେଇ ଘରର ବଜେଟ୍ ବିଗାଡିଛି। ଏଥିରେ ଆର୍ଥିକ ବଜାର ବିଶେଷଜ୍ଞଙ୍କ କହିବା କଥା ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଉ ଏକ ବୃଦ୍ଧି ହୋଇପାରେ। ଗତ ୧୧ ଦିନରେ ବିଭିନ୍ନ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପ୍ରତି ଲିଟର ମୋଟ ୭ଟଙ୍କା ବଢିଲାଣି। ଏଥିରେ ପ୍ରଥମେ ୩ଟଙ୍କା, ପୁଣି ୯୦ ପଇସା, ଏହା ପରେ ୮୭ ପଇସା ଓ ଏବେ ଲିଟର ପିଛା ୨ଟଙ୍କା ୬୧ ପଇସା ବୃଦ୍ଧି କରାଯାଇଛି। ତେବେ ଆର୍ଥିକ ବଜାର ଅନୁମାନ ଅନୁସାରେ ଏତିକି ବୃଦ୍ଧି ତୈଳ କମ୍ପାନୀଙ୍କ କ୍ଷତି ଭରଣା ପାଇଁ ଯଥେଷ୍ଟ ନୁହେଁ।

ଅଶୋଧିତ ତୈଳ କ୍ରୟ ଓ ରିଫାଇନିଂ ବାବଦ ଖର୍ଚ୍ଚ ପରେ ରିଟେଲ ସେଲିଂ ପ୍ରାଇସ ମଧ୍ୟରେ ଅନ୍ତରକୁ ସମାପ୍ତ କରିବା ଲାଗି ତଥା ପୁରୁଣା କ୍ଷତି ଭରଣା ନିମନ୍ତେ ଇନ୍ଧନ ମୂଲ୍ୟ ପ୍ରତି ଲିଟର ୨୮ରୁ ୩୩ ଟଙ୍କା ବୃଦ୍ଧିର ଆବଶ୍ୟକ ହେଉଛି। ଏହାର ସିଧା ଅର୍ଥ ହେଉଛି ନିକଟରେ ହୋଇଥିବା ଦର ବୃଦ୍ଧି ପରେ ବି ତୈଳ କମ୍ପାନୀଙ୍କ ଗତ କିଛିମାସରେ ହୋଇଥିବା କ୍ଷତି ଭରଣା ପାଇଁ ପ୍ରତି ଲିଟର ଇନ୍ଧନ ଆଉ ୨୦ ଟଙ୍କା ବୃଦ୍ଧିର ଆବଶ୍ୟକତା ପଡୁଛି। ହେଲେ ଆର୍ଥିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଏକକାଳୀନ ଏତେ ବୃଦ୍ଧି ଅସମ୍ଭବ। ଏଣୁ ବିଶ୍ଳେଷକ ଭାବୁଛନ୍ତି ଆଗାମୀ ସମୟରେ ତୈଳ ମୂଲ୍ୟରେ ଏପରି ଛୋଟଛୋଟ ବୃଦ୍ଧି ଜାରି ରହିବ। ଏହା ଏଥି ପାଇଁ ହେବ କାରଣ ନିକଟରେ ହୋଇଥିବା ମୂଲ୍ୟ ସଂଶୋଧନ ପୂର୍ବରୁ ତୈଳ କମ୍ପାନୀଙ୍କ ଉପରେ ଅସ୍ୱଭାବିକ ଚାପ ପଡିସାରିଥିଲା।

ଫେବୃଆରୀ ୨୮ ରେ ଆରମ୍ଭ ହୋଇଥିବା ଇରାନ ଯୁଦ୍ଧ ପରେ ବୈଶ୍ୱିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ବୃଦ୍ଧି ହୋଇଥିଲା। ଫଳରେ ଅଶୋଧିତ ତୈଳ ଆମଦାନୀ ଓ ରିଫାଇନିଂ ବେଶ୍ ମହଙ୍ଗା ହୋଇଯାଇଥିଲା। ଏହା ସତ୍ତ୍ୱେ ଭାରତରେ ଲଗାତାର ୭୪ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ସ୍ଥିର ରଖାଯାଇଥିଲା। ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଯେତେବେଳେ ପ୍ରଥମ ଥର ଇନ୍ଧନ ମୂଲ୍ୟ ବୃଦ୍ଧି ଘୋଷଣା ହେଲା ସେପର୍ଯ୍ୟନ୍ତ ୩ ତୈଳ କମ୍ପାନୀଙ୍କ କ୍ଷତିର ପରିମାଣ ୧.୨ଲକ୍ଷ କୋଟି ଟଙ୍କା ପାର କରିସାରିଥିଲା। ଏହି ସଂକଟ ଏଥି ପାଇଁ ଗୁରୁତର ଥିଲା କାରଣ ଭାରତ ନିଜ ଅଶୋଧିତ ତୈଳ ଆବଶ୍ୟକତାର ୮୮% ବିଦେଶରୁ ଆମଦାନୀ କରିଥାଏ। ଏଣୁ ଭାରତର ଆମଦାନୀ ବିଲ୍ ଓ ଇନ୍ଧନ ଅର୍ଥ ଶାସ୍ତ୍ର ପ୍ରଭାବିତ ହୋଇଛି।

ତେବେ ସୋମବାରର ବୃଦ୍ଧି ପରେ ତୈଳ କମ୍ପାନୀଙ୍କ କ୍ଷତି ସାମାନ୍ୟ ଭରଣା ହୋଇଛି, ହେଲେ ସମ୍ପୂର୍ଣ୍ଣ ଭରଣା ହୋଇନି। ବିଶ୍ଲେଷକଙ୍କ ଅନୁସାରେ ଇନ୍ଧନ ମାର୍କେଟିଂ ମାର୍ଜିନରେ ୫୦ ପଇସା ବୃଦ୍ଧି ହେଲେ ତୈଳ କମ୍ପାନୀଙ୍କୁ ସୁଧ, ଟ୍ୟାକ୍ସ ଓ ମୂଲ୍ୟ ହ୍ରାସ ପୂର୍ବ ଆୟରେ ପାଖାପାଖି ୭ରୁ ୧୧% ପର୍ଯ୍ୟନ୍ତ ସୁଧାର ହୋଇଥାଏ। ଏହି କାରଣରୁ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ମଧ୍ୟ କମ୍ପାନୀଙ୍କ ଲାଭକୁ ବଢାଇଥାଏ। ଉଦ୍ୟୋଗ ଅନୁମାନ ଅନୁସାରେ ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହୋଇଥିଲା ସେତେବେଳେ କମ୍ପାନୀମାନେ ସାମୁହିକ ରୂପେ ଦୈନିକ ୧,୬୦୦ କୋଟି ଟଙ୍କା କ୍ଷତି ସହୁଥିଲେ। ଶେଷରେ ସରକାର ଧିରେ ଧିରେ ମୂଲ୍ୟ ବଢାଇବାକୁ ଅନୁମତି ଦେଇଥିଲେ। ତେବେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ତୁଳନାରେ ଭାରତରେ ମୂଲ୍ଯ ବୃଦ୍ଧି ବେଶ୍ ଧିମା ଥିଲା।

ଏଥି ମଧ୍ୟରେ ସୋମବାର ଏକ ଆଶ୍ୱସ୍ତିକର ଖବର ଆସିଛି। ବୈଶ୍ୱିକ ଅଶୋଧିତ ତୈଳ ମୂଲ୍ୟରେ ୫% ହ୍ରାସ ହୋଇଛି। ଯଦି ଅଶୋଧିତ ତୈଳ ଦର ଏପରି ନରମ ରହେ ତେବେ ତେବେ ଭାରତୀୟ ତୈଳ କମ୍ପାନୀଙ୍କ ଉପରେ ଚାପ କମ ରହିବ। ହେଲେବି ନିକଟ ଭବିଷ୍ୟତରେ ବୀମା ପ୍ରିମିୟମ, ବୋଝେଇ ଖର୍ଚ୍ଚ ଯୋଗୁ ଅଶୋଧିତ ତୈଳ ମୂଲ୍ୟ ଉଚ୍ଚ ରହିପାରେ। ତେବେ ଇନ୍ଧନ ଦରର ଏପରି ସ୍ଥିତି ଭାରତର ନୀତି ନିର୍ମାତାଙ୍କୁ ଏକ ଜଟିଳ ମୋଡରେ ଛିଡା କରିଛି। ଏଠାରେ ସେମାନଙ୍କୁ ଦୁଇ ବିପରୀତ ପ୍ରାଥମିକତା ଉପରେ ଗୁରୁତ୍ୱ ଦେବାକୁ ପଡୁଛି। କାରଣ ଦେଶରେ ଇନ୍ଧନ ଦର ବୃଦ୍ଧି ପରିବହନ ବାବଦ ବ୍ୟୟକୁ ବଢାଉଛି। ଫଳରେ ଭୋଜନ, ଉପଭୋକ୍ତା ସାମଗ୍ରୀ ଓ ସେବା ଦର ବଢି ଯାଉଥିବା ବେଳେ ସାଧାରଣ ଲୋକଙ୍କ ଉପରେ ମୂଲ୍ୟ ବୃଦ୍ଧିର ବୋଝ ବଢୁଛି।

ଅନ୍ୟପଟେ କମ୍ପାନୀମାନେ ରହୁଛନ୍ତି ଯେଉଁମାନେ ନିଜ ନିବେଶ ପ୍ଲାନ, ବାଲାନ୍ସ ସିଟ୍ ଓ ଭବିଷ୍ୟତର ଯୋଗାଣ ସ୍ଥିରତାକୁ ପ୍ରଭାବିତ ନ କରି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଏହି କ୍ଷତିକୁ ନିଜେ ବହନ କରିପାରିବେ ନାହିଁ। ଏଣୁ ଖାଉଟିଙ୍କୁ ଯେଉଁ ବଡ଼ ମୂଲ୍ୟ ବୃଦ୍ଧିରୁ ଆଶ୍ୱସ୍ତି ମିଳିଛି ତାହା ସ୍ଥାୟୀ ନୁହେଁ କାରଣ ପେଟ୍ରୋ ଓ ଡିଜେଲ ଲିଟର ପିଛା ୭ଟଙ୍କା ୩୮ ପଇସା ବୃଦ୍ଧି ପରେ ବି ତୈଳ କମ୍ପାନୀଙ୍କ କ୍ଷତି ସମ୍ପୂର୍ଣ୍ଣ ଭରଣା ହୋଇ ନାହିଁ।