ଜୟପୁର, ୨୪/୦୮ : କିଛିଦିନ ତଳେ ଜେନ୍-ଜିଙ୍କ ପାର୍ଟିର କିଛି ସଦସ୍ୟ ରାଜସ୍ଥାନର ଏକ ସ୍କୁଲ ଗସ୍ତ କରିଥିଲେ । ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ନେଇ କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଏହି ସମୟରେ ସଦସ୍ୟଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ଯାହାକୁ ନେଇ ରାଜନୀତି ଜୋର୍ ଧରିଥିଲା । ବିରୋଧୀ ଦଳ ରାଜସ୍ଥାନ ସରକାରଙ୍କ ଉପରେ ସ୍କୁଲର ଅବ୍ୟବସ୍ଥାକୁ ନେଇ ବର୍ଷିଥିଲେ । ଏବେ ରାଜସ୍ଥାନ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡିବା ପାଇଁ ସରକାର ୧୨୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ।

ଏହି ଟଙ୍କାରେ ସ୍କୁଲର ନୂଆ ବିଲ୍ଡିଂ ତିଆରି ହେବ । ଏହାସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସ୍କୁଲର ନବୀକରଣ କରାଯିବ । ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ । ସବୁ କାମ ଗୋଟିଏ ବର୍ଷରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋଟ୍ ଅର୍ଥରୁ ୪୫୦ କୋଟି ଟଙ୍କା ସ୍କୁଲଘର ତିଆରିରେ ବର୍ଷେ ଭିତରେ ଖର୍ଚ୍ଚ ହେବ । ମରାମତି ଏବଂ ପୁନରୁଦ୍ଧାର ପାଇଁ ୫୫୦ କୋଟି ଟଙ୍କା ବର୍ଷେ ଭିତରେ ଖର୍ଚ୍ଚ ହେବ । ପରେ ସ୍କୁଲର ବିକାଶରେ ଅନ୍ୟ ବଳକା ଅର୍ଥକୁ ଖର୍ଚ୍ଚ କରାଯିବ ।

Also Read :- ବର୍ଷକୁ ତିନୋଟି ମାଗଣା ଗ୍ୟାସ୍ ସିଲିଣ୍ଡର, ମହିଳାଙ୍କୁ ଫ୍ରି' ବସ୍ ଯାତ୍ରା..ବିଜୟ ସରକାରଙ୍କ ବଡ ଘୋଷଣା

ସରକାରୀ ରିପୋର୍ଟ ଅନୁସାରେ, ରାଜ୍ୟରେ ୬୧୧ଟି ସ୍କୁଲର ନିଜସ୍ୱ ଘର ନାହିଁ । ତେଣୁ ବର୍ଷା ଏବଂ ପ୍ରବଳ ଗରମ ହେଲେ ଛୁଟି ଘୋଷଣା କରାଯାଉଛି । ଏମିତି ଅଧିକାଂଶ ସ୍କୁଲ ବାଡମେର୍ ଏବଂ ଜୈଶଲମେଲ ଜିଲ୍ଲାରେ ରହିଛି । ସେହିପରି ଦୁଇ ହଜାର ସ୍କୁଲରେ ଶୌଚାଳୟ ନାହିଁ । ୧୦୪୯ଟି ସ୍କୁଲରେ ପାଣିର ସୁବିଧା ନାହିଁ । ରାଜ୍ୟରେ ମୋଟ୍ ୬୪ ହଜାର ୪୮୪ଟି ସରକାରୀ ସ୍କୁଲ ରହିଛି । ସମସ୍ତ ସ୍କୁଲର ଘରକୁ ସର୍ଭେ ପାଇଁ ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳମାନେ ସର୍ଭେ କରି ସରକାରଙ୍କୁ ରିପୋର୍ଟ ଦେବେ । ଏଥିରେ କେତେ ସ୍କୁଲର ଘର ନାହିଁ, ପାଣି ବ୍ୟବସ୍ଥା କିମ୍ବା ଶୌଚାଳୟ ନାହିଁ ତାହାର ତାଲିକା ପ୍ରଦାନ କରାଯିବ । ଏହିସହ ସ୍କୁଲର ବିକାଶ ପାଇଁ ପୂର୍ବରୁ କେତେ ଅର୍ଥ ମିଳିଛ, କେତେ କାମ ହୋଇଛି ଏବଂ କେଉଁବର୍ଷ ହୋଇଛି ତାହାର ଟିକିନିଖି ହିସାବ ମଧ୍ୟ ଜିଲ୍ଲାପାଳମାନେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।