ଚେନ୍ନାଇ, ୨୪/୦୮ : ବିଜୟ ଥଲାପତିଙ୍କ ବଡ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ସରକାର ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା କରିଛନ୍ତି । ଅନ୍ନପୂର୍ଣ୍ଣାନି ସୁପର୍ ସିକ୍ସ ନାମରେ ଏହି ଯୋଜନା ଆରମ୍ଭ ହୋଇଛି । ଯାହା ୨୦୨୭ରୁ ଲାଗୁ ହେବ । ଏହାଦ୍ୱାରା ବର୍ଷକୁ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରକୁ ତିନୋଟି ସିଲିଣ୍ଡର ମାଗଣାରେ ମିଳିବ ।

ସରକାରଙ୍କ କହିବାନୁସାରେ, ଏହି ଯୋଜନାରେ ପ୍ରାୟ ୧.୩୦ କୋଟି ପରିବାରକୁ ଲାଭ ମିଳିବ । ବର୍ଷକୁ ରାଜକୋଷରୁ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଉଛି । ଲାଭାର୍ଥୀ ବା ହିତାଧିକାରୀମାନେ ସିଲିଣ୍ଡର କିଣିଲା ପରେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ । ଅର୍ଥାତ ପ୍ରଥମେ ଗରିବ ପରିବାରର ଲୋକେ ସିଲିଣ୍ଡର କ୍ରୟ କରିବେ । କିନ୍ତୁ କିଣିସାରିଲା ପରେ ଏହି ଅର୍ଥ ସେମାନଙ୍କୁ ଫେରସ୍ତ ଦିଆଯିବ ।

Also Read :- ୩.୫ ବିଲିୟନ ବର୍ଷ ପୂର୍ବରୁ ଭାରତରେ ରହୁଥିଲେ କିଏ ? ଝାଡଖଣ୍ଡରୁ ମିଳିଲା ପ୍ରମାଣ, ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ

ମହିଳାଙ୍କୁ ମାଗଣା ବସ୍ ସେବା

ବିଜୟ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ମହିଳାମାନେ ସାଧାରଣ ବସ୍ ସହ ଏକ୍ସପ୍ରେସ୍, ଡିଲକ୍ସ ଭଳି ବସରେ ମାଗଣା ଯାତ୍ରା କରିପାରିବେ । ଏହାବ୍ୟତୀତ ଆନ୍ତଃଜିଲ୍ଲା ବସରେ ମହିଳାଙ୍କୁ ବେଟ୍ରି ପୟାନା ଚିଥୁମ୍ ଅନୁସାରେ ସୁବିଧା ମିଳିବ । ଏହାକୁ ଅକ୍ଟୋବର ୨ରୁ ଲାଗୁ କରାଯିବ । ତୃତୀୟଲିଙ୍ଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ଏହାଦ୍ୱାରା ଆର୍ଥିକ ଏବଂ ଦୁର୍ବଳ ଆର୍ଥିକ ବର୍ଗର ମହିଳା ଖୁବ୍ ଉପକୃତ ହେବେ ବୋଲି ବିଜୟ କହିଛନ୍ତି ।

ଆହୁରି ମଧ୍ୟ ବିଜୟ କହିଛନ୍ତି ଯେ, ଚେନ୍ନାଇର ପରନ୍ଦୁରରେ ନୂଆ ବିମାନବନ୍ଦର ନିର୍ମାଣ ହେବ ନାହିଁ । ଏହାଦ୍ୱାରା କୌଣସି ପରିବାର ପ୍ରଭାବିତ ହେବେ ନାହିଁ । ଏହି ପ୍ରସ୍ତାବିତ ବିମାନବନ୍ଦରକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ସରକାର ସେହି ପରିବାର ସହ ଠିଆ ହୋଇଛନ୍ତି । ସରକାର ନୂଆ ସ୍ଥାନର ସନ୍ଧାନ କରୁଥିବା ସିଏମ୍ ବିଜୟ ପ୍ରକାଶ କରିଛନ୍ତି ।