ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜୀତ ଦୋସାଞ୍ଜଙ୍କୁ ନେଇ ପୁଣି ଥରେ ବଢ଼ିଛି ବିବାଦ। OTT ପ୍ଲାଟଫର୍ମରୁ ତାଙ୍କ ଫିଲ୍ମ 'ସତଲୁଜ'କୁ ହଟାଇ ଦିଆଯାଇଥିବା ଅଭିଯୋଗ ପରେ ଆରମ୍ଭ ହୋଇଛି ଜୋରଦାର ହଙ୍ଗାମା। ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ତୀବ୍ର ହୋଇଥିବା ବେଳେ, ଦିଲଜୀତଙ୍କ ସମର୍ଥନରେ ବାହାରିଛନ୍ତି କିଛି ରାଜନେତା। ତେବେ କାହିଁକି OTTରୁ ହଟିଲା 'ସତଲୁଜ' ? ଏହି ବିବାଦ ପଛରେ କ'ଣ ରହିଛି ପୂରା କାହାଣୀ ?

ରିଳିଜର ହେବାର ମାତ୍ର ୨ ଦିନ ପରେ OTTରୁ ହଟିଗଲା ଦିଲଜୀତ ଦୋସାଞ୍ଜଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସତଲୁଜ'। ଏହାପରେ ସାରା ଦେଶରେ ଆରମ୍ଭ ହୋଇଛି ତୀବ୍ର ବିବାଦ। ଏହି ଫିଲ୍ମଟି ପ୍ରଥମେ ସେନ୍ସର ବୋର୍ଡ ପାଖକୁ ଯିବା ସମୟରେ ଏହାର ନାମ 'ଘଲୁଘାରା' ରଖାଯାଇଥିଲା। ତେବେ କାହାଣୀ ଏବଂ ଶୀର୍ଷକକୁ ନେଇ ବିବାଦ ହେବା ପରେ ବୋର୍ଡ ପକ୍ଷରୁ ଏଥିରେ ଅନେକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ନାମ ବଦଳାଇ 'ପଞ୍ଜାବ ୯୫' କରାଯାଇଥିଲା। ତଥାପି ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିପାରିନଥିଲା । ଶେଷରେ ଫିଲ୍ମର ନିର୍ମାତା ଏହାର ନାମ 'ସତଲୁଜ' କରିବା ସହ ଓଟିଟିରେ ରିଲିଜ୍ କରାଇଥିଲେ। କିନ୍ତୁ ରିଲିଜ୍ ହେବାର ୨ ଦିନ ପରେ ଏହା ପୁଣି ଗାୟବ ହୋଇଯାଇଛି ।

ଫିଲ୍ମଟି ମାନବାଧିକାର କର୍ମୀ ଜସୱନ୍ତ ସିଂହ ଖାଲରାଙ୍କ ଜୀବନ ଉପରେ ଆଧାରିତ । ଦୀର୍ଘ ତିନି ବର୍ଷ ଧରି ସେନ୍ସର ଓ ଆଇନଗତ ବିବାଦ ମଧ୍ୟରେ ଅଟକି ରହିବା ପରେ ଫିଲ୍ମଟି OTTରେ ରିଲିଜ୍ ହୋଇଥିଲା। କିନ୍ତୁ ବିବାଦ ହେବାରୁ ଫିଲ୍ମକୁ OTTରୁ ହଟାଇ ଦିଆଯାଇଛି | ସୂଚାନୁଯାୟୀ, ଜୁଲାଇ ୩ ତାରିଖରେ ZEE5ରେ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା 'ସତଲୁଜ'କୁ ହଠାତ୍ ଭାରତରେ ବନ୍ଦ କରାଯାଇଥିଲା। ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି ଯେ, "ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଫିଲ୍ମଟି ଉପଲବ୍ଧ ହେବ ନାହିଁ ।" ଫିଲ୍ମକୁ ପୁଣି ଦର୍ଶକଙ୍କ ପାଖକୁ ଫେରାଇ ଆଣିବା ପାଇଁ ଆଇନଗତ ବିକଳ୍ପ ଖୋଜାଯାଉଥିବା କଥା ମଧ୍ୟ ZEE5 ସ୍ପଷ୍ଟ କରିଛି ।

ଦିଲଜୀତଙ୍କ ସମର୍ଥନରେ ରାଜନେତା :

ଫିଲ୍ମକୁ OTTରୁ ହଟାଇବା ଘଟଣା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲଜୀତ ଦୋସାଞ୍ଜଙ୍କ ସମର୍ଥନରେ ପଞ୍ଜାବର କିଛି ରାଜନେତା ଓ ସଂଗଠନ ସାମ୍ନାକୁ ଆସିଛନ୍ତି। ଶିରୋମଣି ଅକାଳୀ ଦଳ, ଏସ୍ଜିପିସି ସହ କିଛି ରାଜନୈତିକ ଦଳର ନେତା ଫିଲ୍ମକୁ ହଟାଇବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତିସେମାନଙ୍କ କହିବା ହେଲା, ଏଭଳି ଭାବରେ ଫିଲ୍ମକୁ ହଟାଇବା ସୃଜନଶୀଳ ସ୍ୱାଧୀନତା ଓ ମତପ୍ରକାଶର ଅଧିକାର ଉପରେ ପ୍ରଶ୍ନ ଉଠାଉଛି। ଏହାପରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ବୟାନବାଜି ମଧ୍ୟ ଜୋର ଧରିଛି।

ଅଭିନେତାଙ୍କ ତୀବ୍ର ପ୍ରତିକ୍ରିୟା :

ଫିଲ୍ମଟିକୁ OTTରୁ ହଟାଯିବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ଦିଲଜୀତ ଦୋସାଞ୍ଜ। ସେ ପୋଷ୍ଟରେ ଲେଖିଛନ୍ତି, "ମୁଁ ଏହି ଅନ୍ଧକାରକୁ ଚ୍ୟାଲେଞ୍ଜ କରୁଛି। 'ସତଲୁଜ' ସହ ଯାହା ଘଟିଛି, ସେବେ ସହିଦ ଜସବନ୍ତ ସିଂହ ଖାଲରାଙ୍କ ସହ ମଧ୍ୟ ସେହିଭଳି ଘଟିଥିଲା।" ଏହି ପୋଷ୍ଟକୁ ନେଇ ପରେ ଚର୍ଚ୍ଚା ଆହୁରି ବଢିଛି । ଫିଲ୍ମଟି ପୂର୍ବରୁ ସେନ୍ସର ବୋର୍ଡ ପକ୍ଷରୁ ବହୁତ ପରିବର୍ତ୍ତନ ହୋଇଥିବାରୁ ଥିଏଟରରେ ମୁକ୍ତିଲାଭ ପାଇପାରିନଥିଲା।