ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀ ନିକଟରେ ଅବସ୍ଥିତ ଏକ ପ୍ରାଚୀନ ବୌଦ୍ଧ ସ୍ଥଳ ସାରନାଥକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଯୋଡା ଯାଇଛି। ପିଟିଆଇ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଦକ୍ଷିଣ କୋରିଆର ବୁସାନରେ ଅନୁଷ୍ଠିତ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ୪୮ତମ ଅଧିବେଶନରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ସାରନାଥ ଭାରତର ୪୫ତମ ବିଶ୍ୱ ଐତିହ୍ୟସ୍ଥଳ ପାଲଟିଛି । ୟୁନେସ୍କୋ  ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଆନୁଷ୍ଠାନିକ ଭାବରେ ଘୋଷଣା କରି ଏହାକୁ ଭାରତର ନୂତନ ବିଶ୍ୱ ଐତିହ୍ୟସ୍ଥଳ ବୋଲି କହିଛି।

ସାରନାଥକୁ ବୌଦ୍ଧ ଧର୍ମର ସବୁଠାରୁ ପବିତ୍ର ତୀର୍ଥସ୍ଥଳ ଭାବରେ ବିବେଚନା କରାଯାଏ। ଏଠାରେ ଭଗବାନ ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି ପରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ । ଏହି କାରଣରୁ ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ବୌଦ୍ଧ ଭକ୍ତ ଏହି ସ୍ଥାନକୁ ପରିଦର୍ଶନ କରନ୍ତି। ୟୁନେସ୍କୋ ତାଲିକାରେ ସାମିଲ ହେବା ଦ୍ୱାରା ଏହି ଐତିହାସିକ ଏବଂ ଆଧ୍ୟାତ୍ମିକ ସ୍ଥାନ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିବ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସାରନାଥ ଏବଂ ଭଗବାନ ବୁଦ୍ଧଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି, ଯାହାଙ୍କ ଜ୍ଞାନ, କରୁଣା ଏବଂ ସମନ୍ୱୟର ବାର୍ତ୍ତା ସମଗ୍ର ମାନବତାକୁ ଅନୁପ୍ରାଣିତ କରେ। ସେ କହିଛନ୍ତି ଯେ, ଏହି ସମ୍ମାନ ଭାରତର ସମୃଦ୍ଧ ସଭ୍ୟତା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ପାଳନ କରେ ଏବଂ ବିଶ୍ୱର ଅଧିକ ଲୋକଙ୍କୁ ସାରନାଥ ପରିଦର୍ଶନ କରିବାକୁ ଏବଂ ବୁଦ୍ଧଙ୍କ ଆଦର୍ଶ ସହିତ ଯୋଡ଼ି ହେବାକୁ ଉତ୍ସାହିତ କରିବ।

କେନ୍ଦ୍ର ସରକାର ୨୦୨୫-୨୬ରେ ସାରନାଥ ପ୍ରସ୍ତାବକୁ ୟୁନେସ୍କୋରେ ଦାଖଲ କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ସଂସଦରେ ଏହା ଘୋଷଣା କରିଥିଲେ। ଏବେ, ୟୁନେସ୍କୋର ଅନୁମୋଦନ ସହିତ, ସାରନାଥ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ସାଂସ୍କୃତିକ ଐତିହ୍ୟରେ ପରିଣତ ହୋଇଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହା ପର୍ଯ୍ୟଟନ, ସ୍ଥାନୀୟ ନିଯୁକ୍ତି ଏବଂ ବୌଦ୍ଧ ଐତିହ୍ୟର ସଂରକ୍ଷଣ ପାଇଁ ଏକ ନୂତନ ପ୍ରେରଣା ସାଜିବ ।