ନୂଆଦିଲ୍ଲୀ: ଭୀଷଣ ଗ୍ରୀଷ୍ମରେ ଆଉଟୁପାଉଟୁ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କ ଲାଗି ଆଗାମୀ କିଛି ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ପାଣିପାଗ ବିଭାଗ ଦିଲ୍ଲୀରେ ଧୂଳିଝଡ଼ ନେଇ ଆଗୁଆ ସତର୍କତା ଜାରି କରିଛନ୍ତି। ବିଭାଗ ଅନୁସାରେ ଦିଲ୍ଲୀକୁ ଏକ ବିପଦ ମାଡ଼ି ଆସୁଛି ଏହା ଦ୍ୱାରା ଜାତୀୟ ରାଜଧାନୀରେ ଭୀଷଣ ଧୂଳିଝଡ଼ ହୋଇପାରେ। ପାଣିପାଗ ବିଭାଗଙ୍କ ଦ୍ୱାରା ଜାରି ‘ନାଓ କାଷ୍ଟ’ ଅନୁସାରେ ଦିଲ୍ଲୀର ସବୁ ଜିଲ୍ଲାଙ୍କ ଲାଗି ୟେଲୋ ଆଲର୍ଟ ଜାରି ହୋଇଛି।

ଏଥିରେ ଘଣ୍ଟାପ୍ରତି ୩୦ରୁ ୫୦ କିଲୋମିଟର ବେଗରେ ଝଡ଼ ବହିପାରେ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ଧନଜୀବନ ପ୍ରଭାବିତ ହେବା ନେଇ ମଧ୍ୟ ଆଶଙ୍କା କରାଯାଇଛି। ଏଣୁ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଜାତୀୟ ରାଜଧାନୀରେ ରବିବାର ଯଦିଓ ଗରମ ଥିଲା ତେବେ ଅନ୍ୟଦିନ ଅପେକ୍ଷା କମ୍ ରହିଛି। ରବିବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ ହୋଇଛି। ଏହା ସ୍ୱଭାବିକ ଠାରୁ ୩.୪ ଡିଗ୍ରି ଅଧିକ ବୋଲି ପାଣିପାଗ ବିଭାଗ କହିଛନ୍ତି।

ତେବେ ରାଜଧାନୀ ଦିଲ୍ଲୀକୁ ମୁହାଁଇଥିବା ଧୂଳି ଝଡ଼ କେବଳ ଆଜି ରାତିକ ଆଶ୍ୱସ୍ତି ଦେଇପାରେ। ତେବେ ଦିଲ୍ଲୀ ଲାଗି ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗର ହିଟୱେଭ ୟେଲୋ ୱାର୍ଣ୍ଣିଂ ଜାରି ରହିବ। ସୋମବାର ମଧ୍ୟ ଜାତୀୟ ରାଜଧାନୀରେ ଦିନର ତାପମାତ୍ରା ୪୪ ଡିଗ୍ରି ସେଲସିୟସ୍ ଆଖପାଖରେ ରହିବ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରି ସେଲସିୟସ ରହିପାରେ। ରବିବାର ପବନରେ ଆର୍ଦ୍ଦତା ୧୮ରୁ ୩୭ ପ୍ରତିଶତ ମଧ୍ୟରେ ଥିଲା। ଏଣୁ ଦିନତମାମ ଲୋକେ ଗରମରେ ଛଟପଟ ହୋଇଛନ୍ତି।