ଭୁବନେଶ୍ୱର: ଓଡ଼ିଶା କଥା କହିଲେ ଆମ ମନକୁ ପ୍ରଥମେ ଆସେ ବାତ୍ୟାର କଥା। କିନ୍ତୁ ଓଡ଼ିଶା ପାଇଁ ଆଉ ବିପର୍ଯ୍ୟୟ ମୁଣ୍ଡ ଟେକିଲାଣି। ଆସିବ ଟର୍ଣ୍ଣାଡୋ। ଛାରଖାର କରିଦେବ। ଆମେରିକା ଭଳି ଶନିଦଶା ଭୋଗିବ। ଦିନେ ଯାହାକୁ ଆମେ ବିରଳ ବୋଲି କହୁଥିଲୁ.. ସିଏ ଏବେ ଦୁଆରେ ଛିଡା ହୋଇଛି ଯମ ପରି। ଗୋଟିଏ ବର୍ଷରେ କରଞ୍ଜିଆ ଓ ଜଗତସିଂହପୁର ଏରସମାର ଘଟଣା ଆମ ପାଇଁ ମହାବିପଦର ସତର୍କ ଘଣ୍ଟି।

କେନ୍ଦୁଝର ହେଉ କି କେନ୍ଦ୍ରାପଡ଼ା, ଜଗତସିଂହପୁର ହେଉ କି କରଞ୍ଜିଆ... ମାତ୍ର କିଛି ମିନିଟ୍ରେ ସବୁ ଛାରଖାର। ବାତ୍ୟା ଆସିବା ପୂର୍ବରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥାଏ। କିନ୍ତୁ ଟର୍ଣ୍ଣାଡୋର ଆଗମନ ହଠାତ୍ ହୋଇଥାଏ। ଆକାଶରେ କଳାହାଣ୍ଡିଆ ମେଘ, ପ୍ରବଳ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ଭିତରେ ସୃଷ୍ଟି ହୁଏ ଏକ ଭୟଙ୍କର ବିପର୍ଯ୍ୟୟ । ମାଟି ଉପରେ ଥିବା ଯେକୌଣସି ବସ୍ତୁ ବା ମଣିଷ ବହୁ ଉଚ୍ଚକୁ ଉଡ଼ାଇ ନେଇ କଚାଡ଼ି ମାରିଦିଏ।

ବିରଳ ଭାବେ ଦେଖାଦେଉଥିବା ଟର୍ଣ୍ଣାଡୋରେ ଦେଖାଦେଇଛି ବ୍ୟତିକ୍ରମ। ଗୋଟିଏ ବର୍ଷରେ ଦୁଇ ଦୁଇଟା ଟର୍ଣ୍ଣାଡୋ। ମାର୍ଚ୍ଚରେ କରଞ୍ଜିଆ, ନଭେମ୍ବର ୪ରେ ଜଗତସିଂହପୁରର ଏରସମା। ଯେଉଁ ଏରସମା ମହାବାତ୍ୟାକୁ ଦେଖିଥିଲା। ଗତ ବୁଧବାର ଏରସମାରେ ଆସିଥିବା ଟର୍ଣ୍ଣାଡୋ ଅନେକ କ୍ଷୟକ୍ଷତି ଘଟାଇଛି। କିଛି ଘରର ଚାଳ ଛପର ଓ ଟିଣ ଉଡ଼ାଇଦେଇଛି। ସୌଭାଗ୍ୟବଶତଃ କାହାର ମୃତ୍ୟୁ ହୋଇନି।କିନ୍ତୁ କରଞ୍ଜିଆ କଥା ତ କେବେବି ଭୁଲିହେବନି।

୧୫ ମାର୍ଚ୍ଚ ୨୦୨୬। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଥିଲା ଟର୍ଣ୍ଣାଡୋ। ପ୍ରାୟ ୩୦ ମିନିଟ୍ ଧରି ଖେଳାଇଲା ଆତଙ୍କ। କିଆ, କାଙ୍କଡ଼ା, ପାନିପୋଷୀ ଏବଂ ଡୁମୁରିଆ ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୯ ଜଣ ଗୁରୁତର ଆହତ ହୋଇଥିଲେ। ୧୦୦ ରୁ ଅଧିକ ଘରର ଚାଳ ଓ ଆସବାବପତ୍ର ଉଡ଼ାଇ ନେଇଥିଲା। ପ୍ରାୟ ୫୦-୬୦ଟି ବିଦ୍ୟୁତ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ଉପୁଡାଇ ଦେଇଥିଲା।

ଆମେ କହିବୁ ଟର୍ଣ୍ଣାଡୋ ସୃଷ୍ଟି ହେବାର କାରଣ, କିନ୍ତୁ ତା ପୂର୍ବରୁ ଜାଣିନିଅନ୍ତୁ କିଛି ଇତିହାସର ସେଇ ଭୟଙ୍କର ବିପର୍ଯ୍ୟୟର କଥା। ଓଡ଼ିଶାରେ ଟର୍ଣ୍ଣାଡୋର ଇତିହାସ କଥା ଉଠିଲେ ପ୍ରଥମେ ମନେପଡ଼େ ୧୯୭୮ ଏପ୍ରିଲ୍ ୧୬ ତାରିଖର ସେହି ଭୟଙ୍କର ଘଟଣା। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଧଗୋଡ଼ା ଓ ରାମଚନ୍ଦ୍ରପୁର ଅଞ୍ଚଳରେ ବ୍ୟାପକ ଧ୍ୱଂସ ଘଟିଥିଲା। ଏହି ବିପର୍ଯ୍ୟୟରେ ପ୍ରାୟ ୧୫୦ରୁ ୧୭୮ ଜଣଙ୍କ ମୃତ୍ୟୁ ହୋଇଥିଲା। ୫୦୦ରୁ ଅଧିକ ଗୃହପାଳିତ ପଶୁଙ୍କ ମଧ୍ୟ ଜୀବନ ଯାଇଥିଲା। ମାତ୍ର କିଛି ମିନିଟ୍ର ଏହି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ଇତିହାସରେ ଏକ ଭୟଙ୍କର ଅଧ୍ୟାୟ ହୋଇ ରହିଯାଇଛି।

୨୦୦୯ ମାର୍ଚ୍ଚ ୩୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ରେ ଭୟଙ୍କର ଟର୍ଣ୍ଣାଡୋ ଆସିଥିଲା। ପ୍ରାୟ ୧୧ଟି ଗାଁ ଏହାଦ୍ୱାରା ପ୍ରଭାବିତ ହୋଇଥିଲା। ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୨୫୦ କିଲୋମିଟର ଥିବା ଆକଳନ କରାଯାଇଥିଲା। ଘରର ଛାତ ଉଡ଼ିଯାଇଥିଲା, ଗଛ ଭାଙ୍ଗିପଡ଼ିଥିଲା, ଅନେକ ଲୋକ ଆହତ ହୋଇଥିଲେ। ପ୍ରାୟ ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ଭାରତର ଶକ୍ତିଶାଳୀ ଟର୍ଣ୍ଣାଡୋ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ ଭାବେ ଚର୍ଚ୍ଚିତ ହୋଇଥିଲା।

କାହିଁକି ସୃଷ୍ଟି ହୁଏ ଟର୍ଣ୍ଣାଡୋ ? ବାତ୍ୟା ଓ ଟର୍ଣ୍ଣାଡୋ ମଧ୍ୟରେ ରହିଛି ଆକାଶ-ପାତାଳ ଫରକ। ବାତ୍ୟା ସମୁଦ୍ରରେ ସୃଷ୍ଟି ହୋଇ ବିଶାଳ ଅଞ୍ଚଳକୁ ପ୍ରଭାବିତ କରେ। କିନ୍ତୁ ଟର୍ଣ୍ଣାଡୋ ସାଧାରଣତଃ ଶକ୍ତିଶାଳୀ ଝଡ଼ ସହ ଜଡ଼ିତ ଏକ ସଂକୀର୍ଣ୍ଣ ଘୂର୍ଣ୍ଣିତ ପବନର ସ୍ତମ୍ଭ, ଯାହା ଅଳ୍ପ ଅଞ୍ଚଳରେ ଅତି ଭୟଙ୍କର ଭାବରେ କ୍ଷୟକ୍ଷତି କରିପାରେ।

ଟର୍ଣ୍ଣାଡୋ ସୃଷ୍ଟି ପଛରେ ରହିଛି ବାୟୁମଣ୍ଡଳର କିଛି ବିଶେଷ ପରିସ୍ଥିତି। ଟର୍ନାଡୋ ସୃଷ୍ଟି ପାଇଁ ବାୟୁମଣ୍ଡଳରେ ଗରମ ଓ ଆର୍ଦ୍ର ପବନ ଏବଂ ଥଣ୍ଡା ଓ ଶୁଷ୍କ ପବନର ମିଶ୍ରଣ ଗୁରୁତ୍ୱପୂର୍ଣ୍ଣ। ଭୂମି ନିକଟରେ ଗରମ ଓ ଆର୍ଦ୍ର ପବନ ରହିଥାଏ। ଉପର ବାୟୁମଣ୍ଡଳରେ ଥଣ୍ଡା ପବନ ରହିଥାଏ। ଏହି ଦୁଇ ପ୍ରକାର ପବନ ମଧ୍ୟରେ ଅସ୍ଥିରତା ସୃଷ୍ଟି ହୁଏ। ଫଳରେ ଗରମ ପବନ ହାଲୁକା ହୋଇ ଦ୍ରୁତ ଗତିରେ ଉପରକୁ ଉଠିଥାଏ। ଏହା ଫଳରେ ଟର୍ଣ୍ଣାଡୋ ସୃଷ୍ଟି ହେବା ବିପଦ ବଢେ।

ଏହା ସହ ବାୟୁମଣ୍ଡଳର ତଳ ଓ ଉପର ସ୍ତରରେ ପବନର ଦିଗ ଏବଂ ବେଗରେ ପାର୍ଥକ୍ୟ ରହିଲେ ଘୂର୍ଣ୍ଣନ ସୃଷ୍ଟି ପାଇଁ ଅନୁକୂଳ ପରିସ୍ଥିତି ହୋଇଥାଏ। ଏହାକୁ କୁହାଯାଏ ୱିଣ୍ଡ୍ ସିୟର୍। ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ବା ନର୍ୱେଷ୍ଟର୍ ପ୍ରଭାବ ଦେଖାଯାଏ। ଏଭଳି ଝଡ଼ ମଧ୍ୟରେ ଉପଯୁକ୍ତ ବାୟୁମଣ୍ଡଳୀୟ ପରିସ୍ଥିତି ରହିଲେ ଟର୍ଣ୍ଣାଡୋ ସୃଷ୍ଟି ହୋଇପାରେ।

ଓଡ଼ିଶାରେ ଟର୍ଣ୍ଣାଡୋ ବିରଳ ହୋଇଥିଲେ ମଧ୍ୟ ଏହାର ବିନାଶକାରୀ ଇତିହାସକୁ ଅଣଦେଖା କରିହେବ ନାହିଁ। ପ୍ରକୃତିର ଏହି ଭୟଙ୍କର ରୂପ ଆଗରେ ମଣିଷକୁ ନିଜକୁ ବଞ୍ଚାଇବା ପାଇଁ ମିଳେ ଖୁବ୍ କମ୍ ସମୟ। ତେଣୁ ଆକାଶରେ ଘନ କଳାମେଘ, ଭୟଙ୍କର ଝଡ଼ ଦେଖାଦେଲେ ସତର୍କ ରହିବା ଜରୁରୀ।