ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ (SIR) କୁ ନେଇ ଚାଲିଥିବା ମତଭେଦ ଖବର ପରେ ଦେଶର ରାଜନୀତି ଗରମ ହୋଇଉଠିଛି। ବିକାଶଶୀଳ ଇନସାନ ପାର୍ଟି (VIP) ର ମୁଖ୍ୟ ଏବଂ ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସାହାନୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ବିବାଦୀୟ ଓ ସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁକେଶ ସାହାନୀ ନିର୍ବାଚନ ଆୟୋଗ ଶାସକ ଦଳ ବିଜେପିର ହାତବାରିସି ପାଲଟିଥିବା ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ‘ଯଦି ମୋତେ ଗୋଟିଏ ହତ୍ୟା ପାଇଁ କ୍ଷମା ମିଳନ୍ତା, ତେବେ ମୁଁ ପ୍ରଥମେ ଯାହାଙ୍କୁ ଗୁଳି ମାରିଥାନ୍ତି ସେ ହେଉଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ।’

ସାହାନୀ କହିଛନ୍ତି ଯେ, ସେ ଆଇନକୁ ମାନୁଥିବା ଜଣେ ନାଗରିକ, କିନ୍ତୁ ଆୟୋଗ ଦେଶର ସମ୍ବିଧାନ ସହ ଖେଳୁଛନ୍ତି। ଏହାସହ ସେ ୨୦୨୯ ପାଇଁ ଏକ ବଡ଼ ଚେତାବନୀ ମଧ୍ୟ ଦେଇଛନ୍ତି । ୨୦୨୯ରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ସରକାର ଗଠନ ହେଲେ, ଜ୍ଞାନେଶ କୁମାରଙ୍କୁ ପ୍ରଥମେ ଜେଲ୍‌ ପଠାଯିବ। ଏହି ନିଷ୍ପତ୍ତିରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବର୍ତ୍ତି ପାରିବେ ନାହିଁ।

ବିବାଦର ମୂଳ କାରଣ
‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ଏକ ରିପୋର୍ଟ ଅନୁସାରେ, ନିର୍ବାଚନ ଆୟୋଗଙ୍କ ଆଭ୍ୟନ୍ତରୀଣ ପରିଚାଳନାରେ ଗମ୍ଭୀର ମତଭେଦ ଦେଖାଦେଇଛି । ଗତ ୧୦ ମାସ ମଧ୍ୟରେ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ, ନିର୍ବାଚନ ଆୟୋଗଙ୍କ କେତେକ ନିଷ୍ପତ୍ତି ଓ ଆଦେଶ ଉପରେ କ୍ରମାଗତ ୧୪ ଥର ଲିଖିତ ଆପତ୍ତି ଦର୍ଶାଇଥିଲେ। ଭୋଟର ତାଲିକା ସଂଶୋଧନ ଏବଂ ଫର୍ମ-୬ ର ପରିବର୍ତ୍ତନ ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକୁ ନେଇ ଏହି ମତଭେଦ ସୃଷ୍ଟି ହୋଇଥିଲା।

ସେପଟେ ନିର୍ବାଚନ ଆୟୋଗ ଏହି ମତଭେଦ ଖବରକୁ ଖଣ୍ଡନ କରି କହିଛନ୍ତି ଯେ, ଆୟୋଗର ସଦସ୍ୟମାନଙ୍କ ଦ୍ୱାରା ଲିଖିତ ନୋଟ୍‌ ଦେବା, ପ୍ରଶ୍ନ ପଚାରିବା ଏବଂ ବୈଷୟିକ ପରାମର୍ଶ ଦେବା ଏକ ସ୍ୱାଭାବିକ ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପ୍ରକ୍ରିୟା। SIR ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଆଇନଗତ ଏବଂ ସର୍ବସମ୍ମତିକ୍ରମେ ନିଆଯାଇଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଏବଂ CEC ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ଉପରେ  ଯାଞ୍ଚ କରାଯାଉ ବୋଲି ଦାବି କରିଛି ଇଣ୍ଡି ମେଣ୍ଟ । ଅନ୍ୟପକ୍ଷରେ, ଅଭିଯୋଗକୁ ଭିତ୍ତିହୀନ କହିବା ସହ ସାମ୍ବିଧାନିକ ସଂସ୍ଥାରେ ଆଲୋଚନା ଓ ଭିନ୍ନମତ ରହିବା ଗଣତନ୍ତ୍ରର ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଛି ବିଜେପି ।