ନୂଆଦିଲ୍ଲୀ-; ବୁଧବାର ୟୁକ୍ରେନର ବିଭିନ୍ନ ସହର ଓ ଅଞ୍ଚଳରେ ରୁଷିଆ ପକ୍ଷରୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରାଯାଇଥିବା ବେଳେ ଅତିକମରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୪୧ ଜଣ ଆହତ ହୋଇଥିବା କିଭ୍ର ଅଧିକାରୀମାନେ କହିଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ କିଭ୍। ଦିନ ସମୟରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ଲମ୍ବା ସମୟ ଧରି ଚାଲିଥିଲା l କିଭ୍ରେ ଦୁଇ ଜଣଙ୍କ ମୃତ୍ୟୁ ସହ ୪୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ପରେ ସହରର ବିଭିନ୍ନ ସ୍ଥାନରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା।

also read -hUNGAରେ ନିଜକୁ ନିଜେ ସାବାସୀ ଦେଲେ ଟ୍ରମ୍ପ, ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ନେଇ ପୁଣି କଲେ ଦାବି

 

ରୁଷିଆର ଡ୍ରୋନ୍ଗୁଡ଼ିକ କେବଳ ସାମରିକ ଠିକଣା ନୁହେଁ, ୟୁକ୍ରେନର ଗ୍ୟାସ୍ ଷ୍ଟେସନ୍, ଅଫିସ୍, ବ୍ୟବସାୟିକ କୋଠା, ଗୋଦାମ ଓ ରେଳ ଭିତ୍ତିଭୂମିକୁ ମଧ୍ୟ ଟାର୍ଗେଟ୍ କରିଥିବା ୟୁକ୍ରେନୀୟ ଅଧିକାରୀମାନେ ଦାବି କରିଛନ୍ତି। ୟୁକ୍ରେନୀୟ ରେଳବାଇ ପକ୍ଷରୁ ମଧ୍ୟ ରାଜଧାନୀର ରେଳ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି।

ଏପଟେ ପୂର୍ବ ୟୁକ୍ରେନର ଅଞ୍ଚଳରେ ରୁଷିଆର ଏକ ବାୟୁ ଆକ୍ରମଣରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ଓ ଅନ୍ୟ ୪ ଜଣ ଆହତ ହୋଇଥିବା ଅଞ୍ଚଳୀୟ ଅଧିକାରୀମାନେ କହିଛନ୍ତି। ଧ୍ୱଂସାବଶେଷ ତଳେ ଆହୁରି କିଛି ଲୋକ ଫସିଥିବା ଆଶଙ୍କା ରହିଛି।

ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ରୁଷିଆ ଉପରେ ସାଧାରଣ ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ୍ କରିବାର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଫାର୍ମାସ୍ୟୁଟିକାଲ୍ ଫ୍ୟାସିଲିଟି, ଗ୍ୟାସ୍ ଷ୍ଟେସନ୍, ରେଳବାଇ ଓ ଯୋଗାଯୋଗ ଭିତ୍ତିଭୂମି ମଧ୍ୟ ଆକ୍ରମଣର ଶିକାର ହୋଇଛି।

ଏହି ଆକ୍ରମଣ ଏମିତି ଏକ ସମୟରେ ହୋଇଛି, ଯେତେବେଳେ ଯୁଦ୍ଧରେ ଏନର୍ଜି ଇନ୍ଫ୍ରାଷ୍ଟ୍ରକ୍ଚର ଉପରେ ଆକ୍ରମଣ ବନ୍ଦ କରିବା ନେଇ ଆଲୋଚନା ଚାଲିଛି। ଜେଲେନ୍ସ୍କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନାରେ ଏନର୍ଜି ଟାର୍ଗେଟ୍ ଉପରେ ଆକ୍ରମଣ ବନ୍ଦ କରିବାର ସମ୍ଭାବ୍ୟ ବୁଝାମଣା ନେଇ ଆଲୋଚନା କରିଥିଲେ। ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ।

ଅନ୍ୟପଟେ ରୁଷିଆ ନିଜ ପକ୍ଷରୁ କହିଛି ଯେ, ଆକ୍ରମଣରେ ୟୁକ୍ରେନର ଡ୍ରୋନ୍ ଉତ୍ପାଦନ ସହ ଜଡ଼ିତ ଗୋଦାମ ଓ ବ୍ୟବସାୟିକ ସ୍ଥାନକୁ ଟାର୍ଗେଟ୍ କରାଯାଇଥିଲା। ରୁଷିଆ ଓ ୟୁକ୍ରେନ ଉଭୟ ପକ୍ଷ ପରସ୍ପର ବିରୋଧରେ ଆକ୍ରମଣର ଅଭିଯୋଗ ଜାରି ରଖିଛନ୍ତି।

ଶାନ୍ତି ଆଲୋଚନାର ଚର୍ଚ୍ଚା ମଧ୍ୟରେ ପୁଣି ଆକାଶରେ ଗର୍ଜିଛି ଯୁଦ୍ଧର ଅସ୍ତ୍ର। ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣରେ ଜୀବନ ହରାଉଛନ୍ତି ସାଧାରଣ ଲୋକ। ଆଉ ଏହା ସହିତ ୟୁକ୍ରେନ ଉପରେ ଶୀତ ଋତୁ ପୂର୍ବରୁ ଏନର୍ଜି ଓ ଭିତ୍ତିଭୂମି ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଛି।