ନୂଆଦିଲ୍ଲୀ: ଗ୍ଲୋବାଲ୍ ଏନର୍ଜି ମାର୍କେଟରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଏବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି । ରୁଷ ସରକାରଙ୍କ ଦ୍ଵାରା ଜାରିବୟାନ ଅନୁଯାୟୀ, ଏହି କଟକଣା ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ ।

କାହିଁକି ଏହି ନିଷ୍ପତ୍ତି ନେଲା ରୁଷ ?

ରୁଷ ବିଶ୍ୱର ସବୁଠାରୁ ବଡ଼ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦ ରପ୍ତାନିକାରୀ ଦେଶଗୁଡ଼ିକ ମଧ୍ୟରେ ରହିଛି । ଏହା ସତ୍ତ୍ୱେ ଦୁଇଟି ମୁଖ୍ୟ କାରଣ ପାଇଁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି । ପ୍ରଥମ ହେଉଛି, ୟୁକ୍ରେନର ଡ୍ରୋନ ଏବଂ ମିସାଇଲ ଆକ୍ରମଣ ଯୋଗୁଁ ରୁଷର ଅନେକ ବଡ଼ ବଡ଼ ତୈଳ ବିଶୋଧନାଗାର ଓ ପାଇପଲାଇନ ନେଟୱର୍କ ପ୍ରଭାବିତ ହୋଇଛି, ଯେଉଁଥି ପାଇଁ ଇନ୍ଧନ ଉତ୍ପାଦନ କମିଯାଇଛି । ଦ୍ଵିତୀୟ କାରଣ ହେଉଛି, ଉତ୍ପାଦନ ହ୍ରାସ ପାଇବା ଏବଂ ପାଣିପାଗ ପରିବର୍ତ୍ତନ ଯୋଗୁଁ ରୁଷ ଭିତରେ ହିଁ ବିମାନ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢିଛି । ତେଣୁ ସରକାର ନିଜର ଘରୋଇ ବିମାନ ଚଳାଚଳ ଏବଂ ସାମରିକ ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ଇନ୍ଧନ ସଞ୍ଚୟ କରି ରଖିବାକୁ ପ୍ରାଥମିକତା ଦେଇଛନ୍ତି । ଚର୍ଚ୍ଚା ହେଉଛି ଯେ ମସ୍କୋ ଖୁବଶୀଘ୍ର ଡିଜେଲ ରପ୍ତାନି ଉପରେ ମଧ୍ୟ ଏଭଳି କଟକଣା ଲଗାଇପାରେ ।

ବିଶ୍ୱ ବଜାର ଏବଂ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ?

ରୁଷର ଏହି ନିଷ୍ପତ୍ତି ଯୋଗୁଁ ସାରା ବିଶ୍ୱର ଇନ୍ଧନ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବ । ଆଗାମୀ ଦିନରେ ଆନ୍ତର୍ଜାତିକ ବଜାରରେ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି । ତେବେ, ଋଷ ପ୍ରଶାସନ ସ୍ପଷ୍ଟ କରିଛି ଯେ ଯେଉଁ ଦେଶଗୁଡ଼ିକ ସହିତ ସେମାନଙ୍କର ପୂର୍ବରୁ ଚୁକ୍ତି ରହିଛି, ସେମାନଙ୍କୁ ଯୋଗାଣ ଜାରି ରହିବ ।

ଭାରତ ବିଷୟରେ କହିବାକୁ ଗଲେ, ଏହାର ସିଧାସଳଖ ପ୍ରଭାବ କମ ରହିବ ବୋଲି ଆଶା କରାଯାଉଛି । ଭାରତ ନିଜର ଜେଟ୍ ଫ୍ୟୁଏଲ ଆବଶ୍ୟକତା ପାଇଁ ରୁଷ ଉପରେ ଅଧିକ ନିର୍ଭରଶୀଳ ନୁହେଁ । କିନ୍ତୁ, ଯଦି ଏହି ପ୍ରତିବନ୍ଧକ କାରଣରୁ ଆନ୍ତର୍ଜାତିକ ବଜାରରେ ବିମାନ ଇନ୍ଧନର ଦାମ ବଢେ, ତେବେ ଭାରତୀୟ ଏୟାରଲାଇନ୍ସ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢିଯାଇପାରେ । ଏହାର ସିଧାସଳଖ ପ୍ରଭାବ ସ୍ୱରୂପ ଭାରତରେ ବିମାନ ଯାତ୍ରା ଭଡ଼ା ମଧ୍ୟ ମହଙ୍ଗା ହୋଇପାରେ ।